Odisha Link
Bridging the Missing Links in Odisha

ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ, ପୌର ଭୋଟ୍‌ ପାଇଁ ପାଗ ଭିଡ଼ା କେବେ?

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଅନ୍ୟପଟେ ଗାଁ ଗାଁରେ ଜମୁଛି ନେତାଙ୍କ ଆସର। ଦଳର ଛାମୁଆ ସଂଗଠନର କର୍ମକର୍ତ୍ତା ଗାଁ ଗସ୍ତ କରୁଛନ୍ତି। ଲକ୍ଷ୍ୟ ଗୋଟିଏ, ପଞ୍ଚାୟତ ଭୋଟ। ଆସନ୍ତା ପଞ୍ଚାୟତ ଭୋଟ ପାଇଁ ପାଗ ଭିଡ଼ିଲେଣି ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ। ସଂଗଠନକୁ ବଳୁଆ କରିବାକୁ ବସୁଛି ଘନ ଘନ ବୈଠକ। ସ୍ଥାନୀୟ ସମସ୍ୟାକୁ ନେଇ ସବୁଆଡ଼େ ଆନ୍ଦୋଳନ ଆଉ ବିକ୍ଷୋଭ ଦାନା ଧରିଲାଣି। ଭୋଟରଙ୍କୁ ନିଜ ଆଡ଼କୁ ଭିଡ଼ିବାକୁ ଛକି-ଶୂନ ଖେଳ ଜୋର ଧରିଲାଣି। ତିନି ଦଳର ତାଳୁରୁ ତଳିପା ଯାଏଁ ଭୋଟ ହାତେଇବାକୁ ପାଗ ମଧ୍ୟ ଭିଡ଼ିଲେଣି।

ଏସବୁ ମଧ୍ୟରେ ପଞ୍ଚାୟତ ନିର୍ବାଚନ ସଠିକ୍‌ ସମୟ ମଧ୍ୟରେ ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ପଞ୍ଚାୟତ ନିର୍ବାଚନ ସଠିକ୍‌ ସମୟରେ ହେବ, ଏଥିରେ ବିଳମ୍ବ ହେବାର କୌଣସି ଅବକାଶ ନାହିଁ। ନିର୍ବାଚନ ନେଇ ଖୁବ୍ ଶୀଘ୍ର ନିର୍ବାଚନ କମିଶନଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି। ପୌର ନିର୍ବାଚନ କଥା ମନ୍ତ୍ରୀଙ୍କୁ ପଚାରିବା ପରେ ସେ କହିଛନ୍ତି ପୌର ନିର୍ବାଚନ ପାଇଁ ବି ପ୍ରସ୍ତୁତ ହେଉଛୁ। ପୌର ନିର୍ବାଚନ ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ତେବେ ଏଠି ପ୍ରଶ୍ନ ଉଠୁଛି ପୌର ନିର୍ବାଚନ ୩ ବର୍ଷ ବିଳମ୍ବ ହୋଇଥିଲେ ବି ସରକାରଙ୍କୁ ତାହା ଗୁରୁତ୍ୱ ଲାଗୁନି। କିନ୍ତୁ ପଞ୍ଚାୟତ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡ଼ିଲେଣି।

ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଚଳିତ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ମଧ୍ୟ ପୂରିଯିବ । ତେଣୁ ନିୟମ ଅନୁସାରେ ତା ପୂର୍ବରୁ ନିର୍ବାଚନ ହେବା ଜରୁରୀ। ମାତ୍ର କରୋନାର ତାଣ୍ଡବ ଯୋଗୁଁ କେବେ ଭୋଟ ହେବ କିଛି ଚୂଡ଼ାନ୍ତ ହୋଇନି। ଯଦି ତୃତୀୟ ଲହର ଆକ୍ରାମକ ନହୁଏ ତେବେ ଆସନ୍ତା ଜାନୁଆରୀ କିମ୍ବା ଫେବ୍ରୁଆରୀ ବେଳକୁ ଭୋଟକୁ ଓହ୍ଲାଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ । ତେବେ ତା ପୂର୍ବରୁ ତିନି ରାଜନୈତିକ ଦଳ ଆରମ୍ଭ କରିଛନ୍ତି କସରତ । କଳେ ବଳେ କୌଶଳେ ଜିଲ୍ଲା ପରିଷଦ, ପଞ୍ଚାୟତ ଓ ବ୍ଲକ ଦଖଲ କରିବାକୁ ମନ୍ତ୍ରଣା ଆରମ୍ଭ ହୋଇଛି । ୨୦୨୪ ସାଧାରଣ ନିର୍ବାଚନର ଫାଇନାଲ ପୂର୍ବରୁ ଏ ପଞ୍ଚାୟତ ସେମିଫାଇନାଲ ପାଇଁ ପ୍ରସ୍ତୁତି ଜୋର ଧରିଛି ।

Leave A Reply

Your email address will not be published.