Odisha Link
Bridging the Missing Links in Odisha

ମିଳିଲେନି ପ୍ରାୟୋଜକ, ନିଜ ତିଆରି ଜୋତା ପିନ୍ଧି ଅଲିମ୍ପିକ୍ସ ଜିତିଲେ

ସମ୍ଭବତଃ ଏବେ ବଜାରରେ ନୂଆ ପ୍ରତିଦ୍ବନ୍ଦ୍ବୀକୁ ଭେଟିବା ବେଳେ ନିଜର ଐତିହାସିକ ଭୁଲ ପାଇଁ ମୁଣ୍ଡ ପିଟୁଥିବେ ନାଇକ୍‌ କର୍ତୃପକ୍ଷ।

ମାତୃତ୍ବ ଏକ ବୋଝ କି ବାଧକ ନୁହେଁ ଓ ମାତୃତ୍ବ ବିଫଳତା ଆଣେନାହିଁ, ଏ କଥା ପ୍ରମାଣ କରିଛନ୍ତି ଆମେରିକାର ପ୍ରସିଦ୍ଧ ଧାବିକା ଆଲିସନ୍‌ ଫେଲିକ୍ସ। ମାତୃତ୍ବକୁ ଏକ ଗୌରବମୟ ଆହ୍ବାନ ଭାବରେ ସେ ସାମନା କରିଛନ୍ତି ଓ ଅଧିକ ସଫଳତା ମଧ୍ୟ ଆପଣେଇଛନ୍ତି। କ୍ୟାରିଅର୍‌ରେ ଉତ୍ଥାନ ସମୟରେ ଜୋତା ଓ ଜଠର ମଧ୍ୟରେ କେଉଁ ଗୋଟିଏକୁ ବାଛିବେ ବୋଲି ଯେତେବେଳେ ତାଙ୍କ ଆଗରେ ସମ୍ଭାବ୍ୟ ବାଢ଼ି ଦିଆଗଲା, ସେ ଜୋତାକୁ ଏଡ଼ାଇ ଜଠରକୁ ଆପଣେଇ ନେଇଥିଲେ। ମାତୃତ୍ବକୁ ତାଙ୍କ ଉତ୍ଥାନରେ ବାଧକ ବୋଲି ବିବେଚନା କରୁଥିବା ବିଶ୍ବର ଏକ ପ୍ରମୁଖ ବ୍ୟବସାୟ ସଂସ୍ଥାର ହୀନମନ୍ୟତାକୁ ଭୁଲ ପ୍ରମାଣିତ କରିଛନ୍ତି ଫେଲିକ୍ସ। ନିଜ ଜୀବନର ଶେଷ ଅଲିମ୍ପିକ୍ସରେ (ଟୋକିଓ ୨୦୨୦) ଦୁଇଟି ପଦକ ଜିତିବା ସହ ମୋଟ ୧୧ଟି ଅଳିମ୍ପିକ୍ସ ପଦକ ହାସଲ କରିଛନ୍ତି ଏହି ଜନନୀ। ଏହି ଅଲିମ୍ପିକ୍ସରେ ସେ ଯେଉଁ ଜୋତା ପିନ୍ଧିଥିଲେ ତାହାର ନିର୍ମାତା ହେଉଛନ୍ତି ସେ ନିଜେ।

୧୯୮୫ରେ ଲସ୍‌ ଆଞ୍ଜେଲସ୍‌ରେ ଜନ୍ମିତ ଫେଲିକ୍ସ ନବମ ଶ୍ରେଣୀରେ ପଢ଼ିବା ବେଳେ ଦୌଡ଼ ପ୍ରତିଯୋଗିତାରେ ପ୍ରଥମ ସଫଳତା ପାଇଥିଲେ। ମାତ୍ର ୧୭ ବର୍ଷ ବୟସରେ ୨୦୦୩ରେ ସେ ଆଦିଦାସ୍‌ ଜୋତା ନିର୍ମାଣକାରୀ ସଂସ୍ଥା ସହ ଅନୁବନ୍ଧିତ ହୋଇଥିଲେ। ଆମେରିକାରେ ବହୁ ପଦକ ଜିତିଥିବା ଏ ଧାବିକା ଜଣକ ୨୦୦୪ରେ ପ୍ରଥମ ଥର ପାଇଁ ଏଥେନ୍ସରେ ନିଜର ଅଲିମ୍ପିକ୍ସ ଯାତ୍ରା ଆରମ୍ଭ କରିଥିଲେ। ଅଲିମ୍ପିକ୍ସରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଆଣିଥିଲେ ଫେଲିକ୍ସ। ସେ ୨୦୦୫ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ବିଶ୍ବର ସର୍ବକନିଷ୍ଠ ସ୍ବର୍ଣ୍ଣପଦକପ୍ରାପିକା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ।

୨୦୦୮ ବେଜିଂ ଅଲିମ୍ପିକ୍‌ରେ ପ୍ରଥମ ଥର ପାଇଁ ସ୍ବର୍ଣ୍ଣପଦକ ଜିତିଥିଲେ ଫେଲିକ୍ସ। ଅନୁରୂପ ଭାବେ ପରବର୍ଷ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ସେ ବିଶ୍ବର ଶ୍ରେଷ୍ଠ ଧାବିକା ଭାବେ ସ୍ବର୍ଣ୍ଣପଦକ ଅର୍ଜନ କରିଥିଲେ। ଏହା ପରେ ଫେଲିକ୍ସ ଆଉ ପଛକୁ ଫେରିନାହାନ୍ତି। ପଦକ ପରେ ପଦକ ପାଇଚାଲିଛନ୍ତି। ୨୦୧୧ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ଆଉ ଦୁଇଟି ସ୍ବର୍ଣ୍ଣପଦକ ପାଇଥିବା ଫେଲିକ୍ସ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ୩ଟି ସ୍ବର୍ଣ୍ଣପଦକ ଜିଣି ଇତିହାସ ରଚିଥିଲେ।

୨୦୧୬ ରିଓଡେଜେନିରୋ ଅଲିମ୍ପିକ୍ସରେ ୩ଟି ପଦକ (୨ ସ୍ବର୍ଣ୍ଣ ୧ ରୌପ୍ୟ) ଜିତିଥିଲେ ଫେଲିକ୍ସ। ଗତ ସପ୍ତାହରେ ଶେଷ ହୋଇଥିବା ତାଙ୍କ ଜୀବନର ଶେଷ ଅଲିମ୍ପିକ୍‌ରେ ଦୁଇଟି ପଦକ ଜିତି ନିଜର ମୋଟ ଅଲିମ୍ପିକ୍‌ ପଦକ ସଂଖ୍ୟା ୧୧ କରିଛନ୍ତି।

ତେବେ ସବୁଠାରୁ ରୋଚକ କଥା ହେଉଛି, ୨୦୧୮ରେ ମା’ ହୋଇଥିଲେ ଫେଲିକ୍ସ। ସେତେବେଳେ ସେ ଜୋତାନିର୍ମାତା ନାଇକ୍‌ ସହ ଅନୁବନ୍ଧିତ ଥିଲେ। ତେବେ ଗର୍ଭବତୀ ଥିବା କାରଣରୁ ସେ ନିଜ ଦୌଡ଼ କ୍ୟାରିଅରରେ ସାମୟିକ ଭାବେ ପୂର୍ଣ୍ଣଛେଦ ପକାଇଥିଲେ। ସେହିବର୍ଷ ନଭେମ୍ବରରେ ତାଙ୍କ ଜଠର କଟାହୋଇ ସନ୍ତାନ ପ୍ରସବ କରାଯାଇଥିଲା ଓ ସେ କନ୍ୟାସନ୍ତାନ କାମରିନ୍‌ର ଜନନୀ ହୋଇଥିଲେ। ତାଙ୍କର ଏହି ମାତୃତ୍ବ ନାଇକ୍‌ କମ୍ପାନୀକୁ କ୍ଷୁବ୍ଧ କରିଥିଲା। ଚୁକ୍ତିପତ୍ରରେ ଉଲ୍ଲିଖିତ ପ୍ରାପ୍ୟରୁ ୭୦ ପ୍ରତିଶତ କାଟି ଦେଇଥିଲା ନାଇକ୍‌ କମ୍ପାନୀ। ପରେ ନାଇକ୍‌ ଓ ଫେଲିକ୍ସଙ୍କ ମଧ୍ୟ ସମ୍ପର୍କ ଛିନ୍ନ ହୋଇଥିଲା।

ନାଇକ୍‌ ଠାରୁ ଭିନ୍ନ ହେବା ପରେ କୌଣସି ଜୋତା ନିର୍ମାତା ସଂସ୍ଥା ତାଙ୍କୁ ସହଯୋଗ କରିବାକୁ ନମିଳିବାରୁ ୨୦୨୦ରେ, ଯେତେବେଳେ ସାରା ବିଶ୍ବ କୋଭିଡ୍‌ ମହାମାରୀରେ ଘାଣ୍ଟି ହେଉଥିଲା, ଫେଲିକ୍ସ ନିଜର ଜୋତା କମ୍ପାନୀ ଆରମ୍ଭ କଲେ। ‘ସାସ୍‌’ ନାମକ ତାଙ୍କର ଜୋତା କମ୍ପାନୀ କେବଳ ମହିଳାଙ୍କ ପାଇଁ ସ୍ନିକର୍‌ ପ୍ରସ୍ତୁତ କରୁଥିବା ବେଳେ ଏହି ସ୍ନିକର୍‌ ପିନ୍ଧି ସେ ଚଳିତ ଅଲିମ୍ପିକ୍ସରେ ଦୌଡ଼ିଥିଲେ। ଏହି ଜୋତା ପିନ୍ଧି ସେ ଏଥର ଅଲିମ୍ପିକ୍‌ରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ଜିତି ଅଲିମ୍ପିକ୍‌ ପଡ଼ିଆରେ ବର୍ତ୍ତମାନ ସମୟର ବିଶ୍ବର ସର୍ବଶ୍ରେଷ୍ଠ ଧାବିକା ହେବାର ଗୌରବ ଅର୍ଜନ କରିଛନ୍ତି। ଏହା ବାଦ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ରେ ମଧ୍ୟ ୧୮ଟି (୧୩ଟି ସ୍ବର୍ଣ୍ଣ) ପଦକ ଜିତି ସେ ଶ୍ରେଷ୍ଠତ୍ବ ପ୍ରତିପାଦିତ କରିଛନ୍ତି।

ଚଳିତ ଅଲିମ୍ପିକ୍ସରେ ଫେଲିକ୍ସଙ୍କର ବିଜୟ ପରେ ‘ସାସ୍’ ବ୍ରାଣ୍ଡ୍‌ର ପ୍ରସିଦ୍ଧି ମଧ୍ୟ ବଢ଼ିଯାଇଛି। ସମ୍ଭବତଃ ଏବେ ବଜାରରେ ନୂଆ ପ୍ରତିଦ୍ବନ୍ଦ୍ବୀକୁ ଭେଟିବା ବେଳେ ନିଜର ଐତିହାସିକ ଭୁଲ ପାଇଁ ମୁଣ୍ଡ ପିଟୁଥିବେ ନାଇକ୍‌ କର୍ତୃପକ୍ଷ।

Leave A Reply

Your email address will not be published.