Odisha Link
Bridging the Missing Links in Odisha

ଆଗକୁ ପଞ୍ଚାୟତ ନିର୍ବାଚନ, ତା’ପୂର୍ବରୁ ପିସିସିଙ୍କ ବିରୁଦ୍ଧରେ ଫେରାଦ ହେଲେ ୮ ବିଧାୟକ

ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁୁ ଓଡ଼ିଶା କଂଗ୍ରେସରେ ବିଦ୍ରୋହ

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁୁ ଓଡ଼ିଶା କଂଗ୍ରେସରେ ବିଦ୍ରୋହ। କଂଗ୍ରେସ ବିଧାୟକମାନେ ଦଳର ସ୍ଥିତି ସମ୍ପର୍କରେ ରାହୁଲ ଗାନ୍ଧିଙ୍କୁ ୨ ପୃଷ୍ଠାର ଚିଠି ଲେଖି ଅବଗତ କରିବା ସହ ଭେଟିବା ପାଇଁ ମଧ୍ୟ ସମୟ ଲୋଡ଼ିଛନ୍ତି। କେବଳ ସେତିକି ନୁହେଁଁ କଂଗ୍ରେସ ବିଧାୟକମାନେ ମିଳିତ ହୋଇ ବୈଠକ କରିବା ସହ ବର୍ତ୍ତମାନର ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଆମୂଳଚୂଳ ପରିବର୍ତ୍ତନ ନହେଲେ ରାଜ୍ୟରେ ଦଳକୁ ଆହୁରି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ସର୍ତକ କରାଇ ଦେଇଛନ୍ତି।

ରାଜ୍ୟରେ କଂଗ୍ରେସର ସ୍ଥିତି କ’ଣ ସେ ନେଇ ଦଳର ହାଇକମାଣ୍ଡକୁ ଅବଗତ କରାଇଛନ୍ତି କଂଗ୍ରେସ ବିଧାୟକ ମାନେ। ଚିଠିରେ ଉଲ୍ଲେଖ ରହିଛି ଯେ, ରାଜ୍ୟରେ ଦଳର ସ୍ଥିତି ସଙ୍ଗୀନ ଓ ଦୁର୍ବଳ ରହିଛି। ୨୦୧୯ ସାଧାରଣ ନିର୍ବାଚନରେ ଜୋରଦାର ଝଟକା ଦଳ ପାଇବା ପରେ ମଧ୍ୟ ୫ଟି ବିଧାନସଭା ଉପନିର୍ବାଚନରେ ମଧ୍ୟ ଦଳ ଖରାପ ପ୍ରଦର୍ଶନ କରିଛି। ବିଜେଡି ଓ ବିଜେପିର ସାଙ୍ଗଠନିକ ଦକ୍ଷତାର ମୁକାବିଲା କରିବାକୁ କଂଗ୍ରେସର କୌଣସି ରଣନୀତି ନାହିଁ। ଯାହାରି ଫଳରେ କଂଗ୍ରେସ ଭଳି ସଙ୍ଗଠନ ରାଜ୍ୟରେ ନୈରାଶ୍ୟଜନକ ପ୍ରଦର୍ଶନ କରୁଛି। ଏପରିକି ଶହ ଶହ କଂଗ୍ରେସ କର୍ମୀ ଦଳ ଛାଡ଼ି ଅନ୍ୟଦଳରେ ମିଶୁଥିବାର ମଧ୍ୟ ଚିଠିିରେ ଉଲ୍ଲେଖ କରିଛନ୍ତି କଂଗ୍ରେସ ବିଧାୟକ ମାନେ।

ରାଜ୍ୟରେ କଂଗ୍ରେସର ମୋଟ ୯ଜଣ ବିଧାୟକ ଥିବାବେଳେ କେବଳ ନରସିଂହ ମିଶ୍ରଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ୮ ବିଧାୟକ ଏହି ଚିଠିରେ ଦସ୍ତଖତ କରିଛନ୍ତି। ଦଳର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଛନ୍ତି ଯେ, ସୋମବାର କଂଗ୍ରେସ ବିଧାୟକ ଦଳର ବୈଠକ ବସି ସଂଗଠନ ଉପରେ ବିଚାରବିମର୍ଶ କରାଯାଇଥିଲା। କାହାରି ବିରୁଦ୍ଧରେ ବୈଠକ ବସି ନଥିଲା। କେବଳ ନୂଆଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପାଇଁ ସମସ୍ତ ବିଧାୟକ ମିଳିତ ଭାବେ ସମୟ ଲୋଡ଼ିଛନ୍ତି।

Leave A Reply

Your email address will not be published.