Odisha Link
Bridging the Missing Links in Odisha

କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା ୟୁନେସ୍କୋ ଐତିହ୍ୟରେ ସାମିଲ

ନୂଆଦିଲ୍ଲୀ: ଦୁର୍ଗାପୂଜାକୁ ମିଳିଛି ଅନ୍ତର୍ଜାତିକ ସ୍ବୀକୃତି। ୟୁନେସ୍କୋ ଐତିହ୍ୟରେ ସାମିଲ ହେଲା କୋଲକାତା ପ୍ରସିଦ୍ଧ ଦୁର୍ଗାପୂଜା। ୟୁନେସ୍କୋର ‘ଇନଟାଞ୍ଜିବୁଲ୍‌ ହେରିଟେଜ୍’ରେ ଦୂର୍ଗାପୂଜାକୁ ମିଳିଛି ସ୍ଥାନ। ଏନେଇ ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଛି।

ଫ୍ରାନ୍ସରେ ୟୁନେସ୍କୋର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀେ ଏହି ନିଷ୍ପତ୍ତି ନିଆଯାଇଛି। ‘ଭାବାବେଗ ଐତିହ୍ୟ’ରେ କୋଲକାତା ଦୁର୍ଗାପୂଜା ସାମିଲ ହେବା ପରେ ପିଏମ୍‌ ମୋଦି ଟ୍ବିଟ୍‌ କରି କହିଛନ୍ତି ଯେ, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି କହିଛନ୍ତି ଯେ, ଏହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଏକତାର ସୂତ୍ରରେ ବାନ୍ଧି ରଖୁଥିବା ଏହି ଦୁର୍ଗାପୂଜା ସାସ୍କୃତିକ ଐତିହ୍ୟର ବାର୍ତ୍ତା ବହନ କରେ ବୋଲି ଶାହ କହିଛନ୍ତି।

ସେହିପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି କହିଛନ୍ତି ଯେ, ରାଜ୍ୟ ପାଇଁ ଗର୍ବିତ ମୁହୂର୍ତ୍ତ। ଏହା କେବଳ ଏକ ପର୍ବ ନୁହେଁ ବରଂ ଏହାଠାରୁ ଢେର ଅଧିକ। ଦୁର୍ଗାପୂଜା ଏକ ଭାବାବେଗ। ପ୍ରେମ, ଶ୍ରଦ୍ଧା ଭଲପାଇବାର ଏହି ପର୍ବ ସଭିଙ୍କୁ ଏକାଠି ଯୋଡ଼େ।

ସୂଚନାଯୋଗ୍ୟ, ଦୁର୍ଗାପୂଜା ଦେଶବ୍ୟାପି ପାଳିତ ହେଉଥିଲେ ମଧ୍ୟ କୋଲକତାର ସ୍ୱତନ୍ତ୍ରତା ବେଶ ପ୍ରଶଂସନୀୟ। ବିଶେଷକରି କୋଲକତା ଦୁର୍ଗାପୂଜାକୁ ଦେଖିବା ପାଇଁ ଦେଶ ଏବଂ ଦେଶ ବାହାରୁ ପର୍ଯ୍ୟଟକମାନେ ଆସିଥାନ୍ତି।