Odisha Link
Bridging the Missing Links in Odisha

ପୌର ଫାଇଟ୍‌: ରେଜଲ୍ଟ ପୂର୍ବରୁ ୭୩ ପ୍ରାର୍ଥୀ ବିଜୟୀ

ଓଏଲ୍‌ ବ୍ୟୁରୋ: ସରିଲା ପୌର ନିର୍ବାଚନ ୨୦୨୨। ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ଆଜି ପୌର ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ଇଭିଏମ୍‌ରେ କଏଦ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ରାଜ୍ୟର ୧୦୬ଟି ପୌର ପରିଷଦ ଓ ଏଏନସିରେ ମୋଟ ୬୫% ମତଦାନ ହୋଇଛି।

ବ୍ରହ୍ମପୁର ମହାନଗର ନିଗମରେ ୪୭%, ଭୁବନେଶ୍ୱର ମହାନଗର ନିଗମରେ ୫୦% ଓ କଟକରେ ୬୫% ମତଦାନ ହୋଇଛି । ବାଲଟ୍ କାଗଜରେ ତ୍ରୁଟି ଯୋଗୁ କେବଳ ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଆସନ୍ତାକାଲି ପୁନଃ ଭୋଟଗ୍ରହଣ ଅନୁଷ୍ଠିତ ହେବ।

ରାଜ୍ୟ ନିର୍ବାଚନ କମିଶନର କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ୧୫ଟି ଜିଲ୍ଲାର ମୋଟ ୭୦ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ବ୍ରହ୍ମପୁର ମହାନଗର ନିଗମର ୩ଟି ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱ ନିର୍ବାଚିତ ହୋଇଛନ୍ତି । ଏହି ମୋଟ ୭୩ଟି ୱାର୍ଡରୁ ଗୋଟିଏ ଲେଖାଏଁ ଆସନ ବିଜେପି ଓ କଂଗ୍ରେସକୁ ଯାଇଥିବାବେଳେ ଦୁଇଟି ସ୍ୱାଧୀନ ଓ ବାକି ୬୯ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଆଜି ରାଜ୍ୟର ୪୭ଟି ପୌର ପରିଷଦ ଓ ୫୯ଟି ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୨୫ଟି ୱାର୍ଡର ୪୩୬୦ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ମୋଟ ୪୦.୫୫ଲକ୍ଷରୁ ଅଧିକ ଭୋଟର ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ହାରାହାରି ୪୫% ମତଦାନ ରେକର୍ଡ କରାଯାଇଥିଲା । କିଛି ସ୍ଥାନକୁ ବାଦ୍ ଦେଲେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.