Odisha Link
Bridging the Missing Links in Odisha

ସମ୍ଭାବ୍ୟ ବାତ୍ୟାକୁ ନେଇ କ’ଣ କହିଲେ ଏସଆରସି

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏସବୁ ମଧ୍ୟରେ ଶୁକ୍ରବାର ଦିନ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସରକାର ସମସ୍ତ ମୁକାବିଲାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଓଏଲ୍‌ ବ୍ୟୁରୋ: ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ହୋଇଛି ଲଘୁଚାପ କ୍ଷେତ୍ର। ଏହା ଉତ୍ତରପଶ୍ଚିମ ଦିଗରେ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଏହି ଲଘୁଚାପ ଆସନ୍ତାକାଲି ସୁଦ୍ଧା ଅବପାତର ରୂପ ନେବା ପରେ ଏହା ତୀବ୍ର ଅବପାତ ହେବ କି ସାମୁଦ୍ରିକ ଝଡ଼ର ରୂପ ନେବ ତାହା ସ୍ପଷ୍ଟ ହେବ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏସବୁ ମଧ୍ୟରେ ଶୁକ୍ରବାର ଦିନ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ କରି ସରକାର ସମସ୍ତ ମୁକାବିଲାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଶ୍ରୀ ଜେନା ସ୍ପଷ୍ଟ ଭାବେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଅବପାତ ରୂପ ନେବା ପରେ ହିଁ ବାତ୍ୟା ସଂକ୍ରାନ୍ତରେ ସ୍ପଷ୍ଟ ଚିତ୍ର ମିଳିବ। ତେବେ ଆଇଏମଡିର ପ୍ରାରମ୍ଭିକ ଆକଳନ ଅନୁସାରେ ଏହି ଲଘୁଚାପ ଅଧିକ ଅବପାତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଲେ ତାହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ସମୁଦ୍ର ଉପକୂଳ ଆଡ଼େ ଗତି କରିବ। କିନ୍ତୁ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ବଙ୍ଗୋପସାଗରରେ ଉପକୂଳଠୁ ୨୫୦-୩୦୦କିମି ଦୂରରେ ରହିବ। ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ ଅବା ସିଭିୟର ସାଇକ୍ଲୋନର ରୂପ ନିଏ ତେବେ ତା’ର ଗତିପଥ, ପ୍ରଭାବ ଓ ତୀବ୍ରତା କ’ଣ ହେବ ତାହା କେବଳ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ । ଏବେ ଯେହେତୁ ଏହା ଅବପାତର ରୂପ ନେଇନି ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିବା କଷ୍ଟକର ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି।

ଅବଶ୍ୟ ଏହି ଲଘୁଚାପ ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ଆସନ୍ତା ୮ତାରିଖରୁ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପବନ କେତେ ବୋହିବ ସେ ନେଇ କୌଣସି ତଥ୍ୟ ଆଇଏମଡି ପକ୍ଷରୁ ମିଳିନି। ଶ୍ରୀ ଜେନା ଆହୁରି ମଧ୍ୟ କହିଛନ୍ତି ଯେ, ଶନିବାର ଆଇଏମଡି ପକ୍ଷରୁ ସ୍ପଷ୍ଟ ଚିତ୍ର ମିଳିବା ପରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମକୁ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ମୁତୟନ କରାଯିବ। ୮ତାରିଖ ସକାଳ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀକୁ ମଧ୍ୟ ରାଜ୍ୟ ସରକାର ଆଜି ଚିଠି ଲେଖି ସମୁଦ୍ରରେ ରହିଥିବା ମତ୍ସ୍ୟଜୀବୀଙ୍କୁ ଫେରାଇ ଆଣିବାରେ ସହଯୋଗ କରିବାକୁ କହିଛନ୍ତି। ୮ତାରିଖରୁ ଯେଭଳି କୌଣସି ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯିବେନି ତାହା ସୁନିଶ୍ଚିତ କରିବାକୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଶ୍ରୀ ଜେନା ଆହୁରି କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ସମ୍ଭାବ୍ୟ ବାତ୍ୟର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

Leave A Reply

Your email address will not be published.