ଭାରତରେ କରୋନା ଯୋଗୁଁ ଯାଇଛି ୪୭ ଲକ୍ଷ ଜୀବନ: WHO
WHO ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲା ଭାରତ, କହିଲା- କେଉଁ....

ଓଏଲ୍ ବ୍ୟୁରୋ: ମହାମାରୀ କରୋନା ସାରା ବିଶ୍ବବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଛି। ଏବେବି ବିଶ୍ବରୁ ସମ୍ପୂର୍ଣ୍ଣ ଭାବେ ନିପାତ ହୋଇନାହିଁ ମହାମାରୀ କରୋନା। ବହୁ ଦେଶରେ ଏବେ ବି କରୋନା ମାମଲା ସକ୍ରିୟ ରହିଛି । ଏସବୁ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଜାରି କରିଛି ଏପରି ଏକ ରିପୋର୍ଟ ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
WHOର ରିପୋର୍ଟ ଅନୁଯାୟୀ ଭାରତରେ ପାଖାପାଖି ୪୭ ଲକ୍ଷ ଲୋକଙ୍କର ମୃତ୍ୟୁ କେବଳ କରୋନା ଯୋଗୁଁ ହୋଇଛି। ଅପରପକ୍ଷେ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଓ୍ବେବସାଇଟ୍ ସୂଚନା ଅନୁଯାୟୀ ୫,୨୩,୯୭୫ ଜଣଙ୍କ ମୃତ୍ୟୁ ମହାମାରୀ କରୋନା ଯୋଗୁଁ ହୋଇଛି। ଏପରିକି ଭାରତ ସରକାର WHOର ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ WHOର ରିପୋର୍ଟ ଠିକ୍ ନା ଭାରତ ସରକାରଙ୍କ ତଥ୍ୟ ଠିକ୍ ତାକୁ ନେଇ ନାନା ପ୍ରଶ୍ନ ମଧ୍ୟ ଉଠିଲାଣି।
ଭାରତ ସରକାର WHOର ରିପୋର୍ଟକୁ ନେଇ ପ୍ରଶ୍ନ କରିବା ସହ ସ୍ପଷ୍ଟୀକରଣ ରଖିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ WHO କେଉଁ ଆଧାରରେ ଏହି ରିପୋର୍ଟ କରିଛି। ଯେଉଁ ତଥ୍ୟ ଆଧାରରେ WHO ରିପୋର୍ଟ ପ୍ରକାଶ କରିଛି ତାହା ଭୁଲ୍। ହେଲେ WHO ତାର ରିପୋର୍ଟକୁ ନେଇ ଅଟଳ।
ସରକାର କହିଛନ୍ତି ଯେ, ମାତ୍ର ୧୭ଟି ରାଜ୍ୟର ତଥ୍ୟକୁ ନେଇ WHO ରିପୋର୍ଟ ପ୍ରକାଶ କରିଛି। ହେଲେ କେଉଁ ୧୭ଟି ରାଜ୍ୟକୁ ନେଇ ତଥ୍ୟ ଏକାଠି କରିଛି ତାହା ସ୍ପଷ୍ଟ କରୁନାହିଁ WHO। କେଉଁ ତଥ୍ୟ ଆଧାରରେ WHO ରିପୋର୍ଟ ପ୍ରକାଶ କରିଛି ତାହା ବି ଅସ୍ପଷ୍ଟ।
WHOର ରିପୋର୍ଟ କଥା ଯଦି ଆମେ କହିବା ତେବେ ବିଗତ ୨ ବର୍ଷରେ ୧.୫ କୋଟି ଲୋକ କରୋନା କିମ୍ବା ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ନପାଇବାରୁ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି। ଯେଉଁଥିରେ କେବଳ ଭାରତରେ ହିଁ ୪୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
WHOର ପ୍ରମୁଖ ଟଡେଓ୍ ଏଡନାମ କହିଛନ୍ତି, ଭାରତର ରିପୋର୍ଟ ବହୁତ ଗମ୍ଭୀର। ଗଭୀରରୁ ଗଭୀର ସ୍ବାସ୍ଥ୍ୟ ମୁକାବିଲାକୁ ସମ୍ମୁଖ କରିବା ପାଇଁ ସଶକ୍ତ ହେବା ପାଇଁ ସମସ୍ତ ରାଷ୍ଟ୍ରକୁ କୁହାଯାଇଛି। ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ସହ ନିବେଶ କରିବା ଜରୁରୀ ବୋଲି ସେ କହିଛନ୍ତି।