Odisha Link
Bridging the Missing Links in Odisha

ନ୍ୟାୟ ମାଗୁଛି ପୀଡ଼ିତା ଛାତ୍ରୀ, ଅଧ୍ୟାପକଙ୍କ ବଦଳି

ପ୍ରଥମେ ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ ପ୍ରମୋଦ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ।

ଓଏଲ୍‌ ବ୍ୟୁରୋ: ପବିତ୍ର ସମ୍ପର୍କରେ ପାପ ନଜର। ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଲା କଳାଦାଗ। ବିଜ୍ଞାନ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ବିଜ୍ଞାନ ସାର। କିନ୍ତୁ ଛାତ୍ରୀ ଜଣକ ସାରଙ୍କ ପ୍ରେମକୁ ଅଗ୍ରାହ୍ୟ କରିଥିଲେ। ପ୍ରେମରେ ନିରାଶ ହୋଇଥିବା ସାର୍‌ ପରବର୍ତ୍ତୀ ସମୟରେ ଭୟ ଦେଖାଇ ଛାତ୍ରୀଙ୍କ ସହ ରଖିଲେ ଶାରୀରିକ ସମ୍ପର୍କ। ଏଭଳି ଅଭାବନନୀୟ ଓ କୁତ୍ସିତ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରରେ। ଭୁବନେଶ୍ୱର ନହରକଣ୍ଟା ସ୍ଥିତ ଶ୍ରୀଜୟଦେବ କଲେଜ ଅଫ୍ ଏଜୁକେସନ ଓ ଟେକ୍ନୋଲୋଜିର ଫିଜିକ୍ସ ଅଧ୍ୟାପକ ପ୍ରମୋଦ ରଂଜନ ଦାଶଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ପୀଡ଼ିତା ଛାତ୍ରୀ।

ଛାତ୍ରୀ ଜଣଙ୍କ ଅଭିଯୋଗ ମୁତାବିକ ଅଧ୍ୟାପକ ଜଣଙ୍କ ତାଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିଲେ। ପ୍ରଥମେ ଛାତ୍ରୀଙ୍କୁ ଅଧ୍ୟାପକ ଜଣକ ପ୍ରେମ ନିବେଦନ କରିଥିଲେ। ଛାତ୍ରୀ ଜଣକ ମନା କରିବାରୁ ପ୍ରମୋଦ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ସାରଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ।

କଲେଜ କର୍ତ୍ତୃପକ୍ଷ ଅଭିଯୋଗ ଶୁଣିବା ପରେ ପୁଲିସର ସାହାଯ୍ୟ ନ ନେବା ପରିବର୍ତ୍ତେ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ। କମିଟିର ମେମ୍ବରମାନେ ପୀଡ଼ିତା ଛାତ୍ରୀ ଓ ଅଧ୍ୟାପକଙ୍କୁ ପଚରାଉଚରା କରିଥିଲେ। ଦୁଇ ଜଣଙ୍କ କଥା ଣୁଣିଲା ପରେ ଘଟଣାର ସତ୍ୟତା ନେଇ ସେଭଳି ଠୋସ ପ୍ରମାଣ ମିଳି ନଥିଲା। ଉଚ୍ଚ ଶିକ୍ଷା ବିଭାଗ ଏନେଇ ରିପୋର୍ଟ ପାଇବା ପରେ ଅଧ୍ୟାପକଙ୍କୁ କୁଚିଣ୍ଡା ବଦଳି କରି ଦିଆଯାଇଛି।

୨୫ ଜୁଲାଇରେ ଛାତ୍ରୀ ଜଣଙ୍କ ଉଚ୍ଚଶିକ୍ଷା ବିଭାଗରେ ହାଜର ହୋଇ ଅଧ୍ୟାପକଙ୍କ ନାଁରେ ଅଭିଯୋଗ କରିଥିଲେ। ଉଚ୍ଚ ଶିକ୍ଷା ବିଭାଗ ଏହି ଅଭିଯୋଗ ପାଇବା ପରେ ଅଧିକ ତଦନ୍ତ ପାଇଁ ଜିଲ୍ଲା ସ୍ତରୀୟ କମିଟିକୁ ତଦନ୍ତ କରିବାକୁ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.