Odisha Link
Bridging the Missing Links in Odisha

ବଦଳିଲେ ବିଜେଡି ପର୍ଯ୍ୟବେକ୍ଷକ: ସୌମ୍ୟଙ୍କ ବଦଳରେ ପ୍ରତାପ ଜେନା

ଭୁବନେଶ୍ୱର: ବିଜୁ ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଅନ୍ୟାନ୍ୟ ସାଙ୍ଗଠନିକ ପଦବୀରେ ପରିବର୍ତନ ଆଣିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ। ଏ ନେଇ ଶୁକ୍ରବାର ଦିନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ।

ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବଦଳରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ନିଯୁକ୍ତି ମିଳିଛି।

ପୂର୍ବରୁ ସୌମ୍ୟଙ୍କୁ ସର୍ବାଧିକ ୭ଟି ଜିଲ୍ଲାର ଦାୟିତ୍ୱ ମିଳିଥିବାବେଳେ ଏବେ ତାହା ପ୍ରତାପ ଜେନାଙ୍କୁ ହସ୍ତାନ୍ତର କରାଯାଇଛି। ସେହିଭଳି ବିକ୍ରମ ଆରୁଖଙ୍କ ପାଖରେ ଥିବା ୫ ଟି ଜିଲ୍ଲାକୁ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଅର୍ପଣ କରାଯାଇଛି।

ପୁରୁଣା ତାଲିକାରେ ଥିବା ନିରଞ୍ଜନ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ମହେଶ୍ୱର ମହାନ୍ତିଙ୍କୁ ନୂଆ ତାଲିକାରେ ପୂର୍ବବତ୍ ସମାନ ଜିଲ୍ଲାର ଦାୟିତ୍ୱ ମିଳିଛି। ୨୦୨୧ ଜୁନ ୨୬ ତାରିଖରେ ବିଜେଡି ସଭାପତି ୩୦ ଜିଲ୍ଲା ପାଇଁ ୨୬ ପର୍ଯ୍ୟବେକ୍ଷକଙ୍କ ସହ ପ୍ରଥମ ଥର ପାଇଁ ୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଥିଲେ।

ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ସର୍ବାଧିକ ୭ଟି ଜିଲ୍ଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେଓଗଡ଼, ଅନୁଗୁଳ ଓ ଢ଼େଙ୍କାନାଳ – ପାଇଁ ନିଯୁକ୍ତ କରାଯାଇଥିଲା, ଯାହା ଏବେ ପ୍ରତାପ ପାଇଛନ୍ତି। ଏବେ ପ୍ରକାଶିତ ନୂଆ ୬ ଜଣିଆ ବରିଷ୍ଠ ପର୍ଯ୍ୟବେକ୍ଷକ ତାଲିକାରେ ବିକ୍ରମ କେଶରୀ ଆରୁଖଙ୍କ ୫ଟି ଜିଲ୍ଲା ପ୍ରମିଳା ପାଇଛନ୍ତି। ନିରଞ୍ଜନ ପୂଜାରୀଙ୍କୁ ୪ ଟି ଜିଲ୍ଲା, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ୬ ଟି ଜିଲ୍ଲା ଏବଂ ମହେଶ୍ୱର ମହାନ୍ତିଙ୍କୁ ୨ ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା, ଯାହା ନୂଆ ବିଜ୍ଞପ୍ତିରେ ଅପରିବର୍ତିତ ରହିଛି। ଶ୍ରୀ ପୂଜାରୀ ଓ ଶ୍ରୀମତୀ ମଲ୍ଲିକ ମନ୍ତ୍ରୀପଦ ସହ ଏ ଦାୟିତ୍ୱ ପାଇଛନ୍ତି।

Leave A Reply

Your email address will not be published.