Odisha Link
Bridging the Missing Links in Odisha

ହାତ ଟେକିଦେଲା ସଂସ୍କୃତି ନିର୍ଦେଶାଳୟ, ଆଗେଇ ଆସିଲେ ବିଡିଏ କର୍ତୃପକ୍ଷ

''ସଂସ୍କୃତି ନିର୍ଦେଶାଳୟର ଅପରିଣାମଦର୍ଶିତା ଓ ଅର୍ଥ ହଡ଼ପ ମନବୃତ୍ତି ପାଇଁ ମେଳା ବାରମ୍ବାର ବନ୍ଦହେବା ଭଳି ପରିସ୍ଥିତି ଉପୁଜିଛି ଓ ସରକାର ନିନ୍ଦିତ ହେଉଛନ୍ତି।''

ଭୁବନେଶ୍ବର: ପୂର୍ବ ଦୁଇ ଥର ପରି ଆସନ୍ତା ମାସରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜିତ ହେବା ନେଇ କିଛିଦିନ ଧରି ଅନିଶ୍ଚିତତା ଲାଗି ରହିଥିବାବେଳେ ସେଥିରେ ଆଜି ପୂର୍ଣଚ୍ଛେଦ ପଡ଼ିଛି। ସଂସ୍କୃତି ନିର୍ଦେଶାଳୟ ପୁସ୍ତକମେଳା ପାଇଁ ପଡ଼ିଆ ଯୋଗାଡ଼ରେ ବିଫଳ ହୋଇଥିବାବେଳେ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷ (ବିଡିଏ) ସହଯୋଗର ହାତ ବଢ଼ାଇଛି। ପୂର୍ବ ନିର୍ଧାରିତ ସ୍ଥାନ ଓ ସମୟରେ ପୁସ୍ତକମେଳା ହେବ ବୋଲି ଆଜି ନିଷ୍ପତ୍ତି ହୋଇଛି। ଆସନ୍ତା ଡିସେମ୍ବର ୯ରୁ ୧୮ ତାରିଖ ଯାଏଁ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଅନୁଷ୍ଠିତ ହେବ।

ପୁସ୍ତକମେଳା ବାତିଲ ହେବାର ସମ୍ଭାବନା ନେଇ ୪ ଦିନ ତଳେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ବିଶ୍ବ କପ୍‌ ହକି ସମୟରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ଉତ୍ସବ ଡଟ୍‌ ଫେଷ୍ଟ୍‌ ପାଇଁ ପ୍ରଦର୍ଶନୀ ପଡ଼ିଆ ନିଆଯାଉଥିବାରୁ ସେଠାରେ ନିର୍ଧାରିତ ସମୟରେ ପୁସ୍ତକମେଳା ହୋଇପାରିବ ନାହିଁ ବୋଲି ଇଡ୍‌କୋ କର୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟର ପ୍ରକାଶକ, ପୁସ୍ତକ ବିକ୍ରେତା, ଲେଖକ ଓ ପାଠକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୁସ୍ତକମେଳା ଆୟୋଜନ ଦାୟିତ୍ବ ନେଇଥିବା କମିଟି ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଥିଲା। ବିଡିଏ ଦ୍ବାରା ଡଟ୍‌ ଫେଷ୍ଟ୍‌ ଆୟୋଜନ ହେଉଥିବାବେଳେ ନିର୍ଧାରିତ ସମୟ ଅବଧି ପାଇଁ ପଡ଼ିଆ ଛାଡ଼ିବାକୁ ମେଳା ଆୟୋଜନ କମିଟି ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂହଙ୍କୁ ଅନୁରୋଧ ପତ୍ର ଦେଇଥିଲେ। ସୋମବାର ଦିନ ଏ ନେଇ ବିଡିଏ କର୍ତୃପକ୍ଷଙ୍କ ସହ ମେଳା କମିଟିର ଦୁଇଦୁଇ ଥର ବୈଠକ ବସିଥିଲା। ଆଜି ପୁଣି ଆଉ ଏକ ବୈଠକ ବସିଥିବା ବେଳେ ସମାଧାନର ସୂତ୍ର ବାହାରିଥିଲା। ସର୍ତମୂଳକ ଭାବେ ପୁସ୍ତକମେଳା ପାଇଁ ପଡ଼ିଆ ଛାଡ଼ିବାକୁ ବିଡିଏ କର୍ତୃପକ୍ଷ ରାଜି ହୋଇଥିଲେ। ଡିସେମ୍ବର ୧୮ରେ ପୁସ୍ତକମେଳା ଶେଷ ହେଉଥିବା ବେଳେ ଡିସେମ୍ବର ୨୦ ସୁଦ୍ଧା ମେଳା ଭାଙ୍ଗି ପଡ଼ିଆ ହସ୍ତାନ୍ତର କରିବାକୁ ବିଡିଏ ଦେଇଥିବା ସର୍ତକୁ ଗ୍ରହଣ କରିଛନ୍ତି ମେଳା କର୍ତୃପକ୍ଷ।

ଭୁବନେଶ୍ବରରେ ୧୯୮୫ ମସିହାରେ ପ୍ରଥମେ ଭୁବନେଶ୍ବର ପୁସ୍ତକମେଳା, ପରେପରେ ରାଜଧାନୀ ପୁସ୍ତକମେଳା, କଳିଙ୍ଗ ପୁସ୍ତକମେଳା ଓ ଏକାମ୍ର ପୁସ୍ତକମେଳା ନାମରେ ବର୍ଷତମାମ ଭିନ୍ନ ଭିନ୍ନ ସମୟରେ ଚାରିଗୋଟି ମେଳା ହେଉଥିଲା। ୨୦୧୯ରେ ସରକାରଙ୍କ ନିଷ୍ପତି କ୍ରମେ ଏହି ଚାରି ମେଳାକୁ ବିଲୀନ କରି ସରକାରୀ ଉଦ୍ୟମରେ ବର୍ଷରେ ଗୋଟିଏ ପୁସ୍ତକମେଳା ଆୟୋଜନ କରାଯିବାର ନିଷ୍ପତ୍ତି ହୋଇଥିଲା। ସେହିବର୍ଷ ପ୍ରଦର୍ଶନୀ ପଡ଼ିଆରେ “ପ୍ରଥମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ – ଅକ୍ଷର” ଆୟୋଜିତ ହୋଇଥିଲା। ପ୍ରଥମ ବର୍ଷ ପୁସ୍ତକ ଆୟୋଜନ ଦାୟିତ୍ବ କଟକ ସ୍ଥିତ ‘ଓଡ଼ିଶା ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ’କୁ ଦିଆଯାଇଥିବାବେଳେ ୨୦୨୦ରେ “ଦ୍ବିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ -ଅକ୍ଷର” ଆୟୋଜନ ଦାୟିତ୍ବ ଭୁବନେଶ୍ବର ପୁସ୍ତକମେଳା କମିଟିକୁ ଦିଆଗଲା। ଏହି କମିଟି ସହ କଳିଙ୍ଗ ପୁସ୍ତକମେଳା, ଏକାମ୍ର ପୁସ୍ତକମେଳା ଓ ଓଡ଼ିଶା ପ୍ରକାଶକ ପୁସ୍ତକ ବିକ୍ରେତା ସଂଘ ମଧ୍ୟ ଆୟୋଜନ ଦାୟିତ୍ବରେ ରହିଲେ।

ସରକାରୀ ପୁସ୍ତକମେଳା ପ୍ରଥମ ଓ ଦ୍ବିତୀୟ ବର୍ଷ ଆଶାନୁରୂପ ସଫଳ ହୋଇ ନଥିଲେ ହେଁ ୨୦୨୧ରେ ପୁଣି ତୃତୀୟ ଥର ମେଳା ଆୟୋଜନ ପାଇଁ ସରକାର ଅଣ୍ଟା ଭିଡ଼ିଲେ। ସେବର୍ଷ ସବୁ ଘୋଷଣା ସରିଥିବାବେଳା ମେଳାର ମାତ୍ର ୪ ଦିନ ପୂର୍ବରୁ ଏହାକୁ ବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର। ପୁନର୍ବାର ୨୦୨୨ ଏପ୍ରିଲ ମାସରେ ମେଳା ଆୟୋଜନ ପାଇଁ ପୁଣି ସରକାର ଘୋଷଣା କରିଥିଲେ। ଏ ସମୟରେ ଅନ୍ୟ ମେଳା ହେଉଥିବାବେଳେ ଅତ୍ୟଧିକ ରୌଦ୍ରତାପ ଦର୍ଶାଇ ପୁଣି ସରକାର ଏହାକୁ ବାତିଲ କରିଥିଲେ। ଆସନ୍ତା ମାସରେ ପୁଣିଥରେ ୪ର୍ଥ ଓଡ଼ିଶା ରାଜ୍ୟ ପୁସ୍ତକମେଳା ‘ଅକ୍ଷର’ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପଡ଼ିଆ ବାତିଲ ହେବାରୁ ମେଳା ଆୟୋଜନ ନେଇ ସନ୍ଦେହ ଉପୁଜିଥିଲା, ଯାହା ଆଜି ଦୂରୀଭୂତ ହୋଇଛି। ପୂର୍ବ ନିର୍ଧାରିତ ଯୋଜନା ଅନୁସାରା ଡିସେମ୍ବର ୯ରୁ ୧୮ ଯାଏଁ ଏ ମେଳା ହେବ ବୋଲି ରାଜଧାନୀ ପୁସ୍ତକମେଳା କମିଟିର ସଂପାଦକ ଉପେନ୍ଦ୍ର ଜେନା ବିଡିଏ ସହ ବୈଠକ ପରେ ସୂଚନା ଦେଇଛନ୍ତି। ତାଙ୍କ ସହ ମେଳା କମିଟିର ଅନ୍ୟ ତିନି ସଦସ୍ୟ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ତେବେ ସଂସ୍କୃତି ନିର୍ଦେଶାଳୟରୁ କେହି ବି ବୈଠକରେ ନଥିଲେ ବା ବିଡିଏ ସହ ଏ ନେଇ ଯୋଗାଯୋଗ କରିନଥିଲେ।

ଅନ୍ୟପଟେ ଏ ନିଷ୍ପତ୍ତି ପରେ ପ୍ରକାଶକ, ଲେଖକ ଓ ପାଠକ ସମାଜରେ ଖୁସିର ଲହରୀ ଖେଳିଯାଇଛି। କଥାଶିଳ୍ପୀ ତଥା ପ୍ରକାଶନ ସଂସ୍ଥାନ ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ସରକାରଙ୍କର ନିଷ୍ପତ୍ତି ସ୍ବାଗତଯୋଗ୍ୟ। ମେଳା ଆୟୋଜନ ପାଇଁ ବିଡିଏ କର୍ତୃପକ୍ଷଙ୍କ ବଦାନ୍ୟତା ଓ ସହଯୋଗା ପାଇଁ ସେ ବିଡିଏ ଉପାଧ୍ୟକ୍ଷ ଶ୍ରୀ ସିଂହଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଯେଉଁ କାମ ସଂସ୍କୃତି ନିର୍ଦେଶକ କରିବା କଥା ତାହା ବିଡିଏ କରି ଦେଖାଇଲା ବୋଲି ସେ କହିଛନ୍ତି। ପୁସ୍ତକମେଳା କମିଟି ଓ ଏହାର ସଂପାଦକ ଶ୍ରୀ ଜେନାଙ୍କୁ ମଧ୍ୟ ଶ୍ରୀ ପଣ୍ଡା ଧନ୍ୟବାଦ ଦେଇଛନ୍ତି। ଦୀର୍ଘ ଦୁଇବର୍ଷ ଧରି ପୁସ୍ତକମେଳା ବନ୍ଦ ଥିବାବେଳେ ଏଥର ମେଳା ବିପୁଳ ସମର୍ଥନ ଓ ସଫଳତା ପାଇବ ବୋଲି ସେ ଆଶା କରିଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ମହତ ଓ ମେଳା ପାଇଁ ସରକାର ୫୦ ଲକ୍ଷ ଟଙ୍କା ସାଙ୍ଗକୁ ଅନ୍ୟାନ୍ୟ ସହଯୋଗ ଓ ସାଧନ ଯୋଗାଇ ଦେଉଛନ୍ତି। ତେବେ ସଂସ୍କୃତି ନିର୍ଦେଶାଳୟର ଅପରିଣାମଦର୍ଶିତା ଓ ଅର୍ଥ ହଡ଼ପ ମନବୃତ୍ତି ପାଇଁ ମେଳା ବାରମ୍ବାର ବନ୍ଦହେବା ଭଳି ପରିସ୍ଥିତି ଉପୁଜିଛି ଓ ସରକାର ନିନ୍ଦିତ ହେଉଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ସରକାର ସଂସ୍କୃତି ନିର୍ଦେଶାଳୟର ସ୍ଥାଣୁତା ଭାଙ୍ଗିବା ସହ ପୁସ୍ତକମେଳା ଆୟୋଜନ ନାମରେ ହୋଇଥିବା ବିଭ୍ରାଟ, ଅର୍ଥ ହେରଫେର ଓ ପ୍ରିୟାପ୍ରୀତି ତୋଷଣର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ଭୁବନେଶ୍ବରର ସୃଜନଶୀଳ ପ୍ରକାଶକମାନଙ୍କ ଏକତା ମଞ୍ଚ “ଉତ୍କଳ ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ’କୁ ମେଳା ଆୟୋଜନରେ ସାମିଲ କରାଯାଉ ବୋଲି ଶ୍ରୀ ପଣ୍ଡା ଅନୁରୋଧ କରିଛନ୍ତି।

Leave A Reply

Your email address will not be published.