Odisha Link
Bridging the Missing Links in Odisha

ଭାରତ-ଇଣ୍ଡୋନେସିଆ ନୌବାଣିଜ୍ୟ କଥା ମନେ ପକାଇଲେ ମୋଦି

ଓଏଲ୍‌ ବ୍ୟୁରୋ: ସାରା ବିଶ୍ବକୁ ଐତିହାସିକ “ବାଲିଯାତ୍ରା” ସମ୍ପର୍କରେ ବୁଝାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦି। ବାଲିଯାତ୍ରା କ’ଣ, ବାଲିଯାତ୍ରା ମହତ୍ତ୍ବ କ’ଣ ସେ ବିଷୟରେ ବି ପିଏମ୍‌ ମୋଦି କହିଥିଲେ। ଅତୀତରେ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା। ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି। ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ। ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ରା।

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାଲି ଯାଇଥିବା ପିଏମ୍‌ ମୋଦି ଆଜି ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କଟକରେ ଚାଲିଥିବା ଐତିହାସିକ ବାଲି ଯାତ୍ରା ସମ୍ପର୍କରେ ସମସ୍ତଙ୍କୁ ବୁଝାଇଛନ୍ତି।

ସେ ସମ୍ବୋଧନ କରି କହିଥିଲେ ଯେ, ଆଜି ବାଲିରେ ମୁଁ ଆପଣମାନଙ୍କୁ ସମ୍ବୋଧନ କରୁଛି। ବାଲି ବିଷୟରେ ଆମେ ଏଠି କଥା ହେଉଛି। ପରମ୍ପରା ଓ ପ୍ରଥା ସମ୍ପର୍କରେ ଆମେ କଥା ହେଉଛେ। କିନ୍ତୁ ବାଲିଠାରୁ ୧୫୦୦ କିମି ଦୂରରେ ଭାରତର ଓଡ଼ିଶା ରାଜ୍ୟର କଟକ ସହର ମହାନଦୀ ଉପକୂଳରେ ହେଉଛି ଐତିହାସିକ ବାଲିଯାତ୍ରା ମହୋତ୍ସବ। ତେବେ ବାଲି ଯାତ୍ରା କ’ଣ ଆପଣଙ୍କ ମନରେ ଉଙ୍କି ମାରୁଥିବ ନିଶ୍ଚୟ। ପ୍ରକୃତରେ ବାଲିଯାତ୍ରା ହେଉଛି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥବା ହଜାର ବର୍ଷର ପୁରୁଣା ବ୍ୟବସାୟିକ ସମ୍ପର୍କରୁ ମଧୁର ସ୍ମୃତି। ଆପଣମାନେ ଇଣ୍ଟରନେଟରେ ବାଲିଯାତ୍ରାର ଫଟୋ ଦେଖି ନିଶ୍ଚୟ ଗର୍ବିତ ଓ ଖୁସି ମଧ୍ୟ ହେବେ।

ସେ ଆହୁରି କହିଛନ୍ତି ଯେ, ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇ ଏହାକୁ ଭବ୍ୟ କରିଛନ୍ତି। ଓଡ଼ିଶାରେ ଆଜି ଯେଉଁମାନେ ବାଲି ଯାତ୍ରାରେ ଏକାଠି ହୋଇଛନ୍ତି, ସେମାନଙ୍କ ଶରୀର ସେଠାରେ ଅଛି କିନ୍ତୁ ମନ ଏଠାରେ ରହିଛି। କରୋନା କଟକଣା ହଟିବା ପରେ ଏଥର ଓଡ଼ିଶାରେ ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି।

ସୂଚନାଯୋଗ୍ୟ, ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା ।

Leave A Reply

Your email address will not be published.