Odisha Link
Bridging the Missing Links in Odisha

ରାୱଲପିଣ୍ଡି ଟେଷ୍ଟରେ ଇତିହାସ ରଚିଲା ଇଂଲଣ୍ଡ

ଓଏଲ୍‌ ବ୍ୟୁରୋ: ଦୀର୍ଘ ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ୍‌ ଖେଳୁଛି ଇଂଲଣ୍ଡ। ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ୧୧୨ ବର୍ଷର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛି ଇଂଲଣ୍ଡ। ପ୍ରଥମ ଦଳ ଭାବେ ଟେଷ୍ଟ ମ୍ୟାଚ୍‌ରେ ପ୍ରଥମ ଦିନରେ ୫୦୦ ରନ୍ କରିଛି ଇଂଲଣ୍ଡ।

ରାଓ୍ବଲପିଣ୍ଡିରେ ଆଜିଠୁ ଆରମ୍ଭ ହୋଇଛି ପାକିସ୍ତାନ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ।ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍‌ମାନେ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ସେମାନଙ୍କୁ ଅଟକାଇବାରେ ପାକିସ୍ତାନୀ ବୋଲରମାନେ ବିଫଳ ହୋଇଥିଲେ।

ଇଂଲଣ୍ଡର ଚାରି ଜଣ ବ୍ୟାଟ୍ସମ୍ୟାନ୍- ଜାକ୍ କ୍ରଲୀ, ବେନ୍ ଡକେଟ୍‌, ଓଲି ପୋପ୍ ଓ ହ୍ୟାରୀ ବ୍ରୁକ୍‌ ଶତକ ମାରିଥିଲେ। ଜାକ୍ କ୍ରଲୀ ୧୨୨ ରନ୍ (୧୧୧ ବଲ୍‌) କରିଥିବା ବେଳେ ବେନ୍ ଡକେଟ୍ ୧୦୭ (୧୧୦ ବଲ୍‌), ଓଲି ପୋପ୍ ୧୦୮ (୧୦୪ ବଲ୍‌), ହ୍ୟାରୀ ବ୍ରୁକ୍‌ ଅପରାଜିତ ୧୦୧ ରନ୍ (୮୧ ବଲ୍‌) କରିଛନ୍ତି। ଆଜି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୪ ୱିକେଟ୍ ହରାଇ ୫୦୬ ରନ୍ କରିଛି, ଯାହା ଅଷ୍ଟ୍ରେଲିଆର ୧୧୨ ବର୍ଷର ରେକର୍ଡକୁ ଭାଙ୍ଗିଛି।

ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ମ୍ୟାଚର ପ୍ରଥମ ଦିନରେ ହିଁ ଚାରି ବ୍ୟାଟର ଶତକ ହାସଲ କରିଛନ୍ତି । ଏବେ ଇଂଲଣ୍ଡ ଟିମ ଗୋଟିଏ ଇନିଂସରେ ସବୁଠୁ ଅଧିକ ୫ ଶତକ ହାସଲ ରେକର୍ଡ ସହ ବରାବର କରିବାକୁ ଚାହିଁବ । ୧୯୯୫ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅଷ୍ଟ୍ରେଲିଆ ଏବଂ ୨୦୦୧ ମସିହାରେ ବାଂଲାଦେଶ ବିପକ୍ଷରେ ପାକିସ୍ତାନ ଏହା କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.