Odisha Link
Bridging the Missing Links in Odisha

ଜି-୨୦ ଯୁବ ଗୋଷ୍ଠୀର କୋଷାଧ୍ୟକ୍ଷ ହେଲେ ଓଡ଼ିଶାର ଓମ୍ ପ୍ରିୟଦର୍ଶୀ

ଓଏଲ୍‌ ବ୍ୟୁରୋ: ୨୦୨୩ରେ ଭାରତରେ ହେବ ଜି-୨୦ ସମ୍ମିଳନୀ । ଏଥିପାଇଁ ଭାରତ ସରକାର କରୁଛନ୍ତି ଜୋରଦାର ପ୍ରସ୍ତୁତି । ଏସବୁ ମଧ୍ୟରେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଜି-୨୦ ସମ୍ମିଳନୀରେ ଦିଆଯାଇଛି ଗୁରୁ ଦାୟିତ୍ବ। ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀ (Youth 20) ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଓମ୍ ଆଗାମୀ ବର୍ଷ ଭାରତ ଓ ଅନ୍ୟ ଜି-୨୦ ରାଷ୍ଟ୍ରଗୁଡିକରେ ଆୟୋଜିତ ହେବାକୁ ଯାଉଥିବା ବିଭିନ୍ନ ପ୍ରାକ ସମ୍ମିଳନୀ, ଯୁବ ସଂଗୋଷ୍ଠୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବୈଶ୍ବିକ ସମସ୍ୟାର ସମାଧାନ ନିମିତ୍ତ କାର୍ଯ୍ୟଶାଳାର ପରିଚାଳନା କରିବେ। ଓଡ଼ିଶାରେ ମଧ୍ୟ ଜି-୨୦ ର ଏଜେଣ୍ଡାକୁ ନେଇ ବିଶ୍ୱବିଦ୍ୟାଳୟ, ସରକାରୀ ଅନୁଷ୍ଠାନ ଓ ସାମାଜିକ ସଙ୍ଗଠନ ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ।

https://twitter.com/IndiaY20/status/1600820067369103360?s=20&t=Em22clxImGxzGXhol9KiTg

ଗୁରୁଦାୟିତ୍ବ ମିଳିବା ପରେ ଓମ୍‌ ପ୍ରିୟଦର୍ଶୀ ଓଡ଼ିଶା ଲିଙ୍କକୁ କହିଛନ୍ତି, ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏକ ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିବ। ତେଣୁ ଆମର ମୂଳ ପ୍ରସଙ୍ଗ ହେଉଛି – “ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ”। ଏହା କେବଳ ଏକ ସ୍ଲୋଗାନ ନୁହେଁ। ଏହା ସମ୍ପ୍ରତି ମାନବୀୟ ପରିସ୍ଥିତିରେ ଘଟୁଥିବା ପରିବର୍ତ୍ତନକୁ ମଧ୍ୟ ପ୍ରଦର୍ଶିତ କରୁଛି ଯାହାକୁ ଆମେ ସାମୂହିକ ଭାବେ ସ୍ଵୀକାର କରିବାରେ ବିଫଳ ହୋଇଛୁ। ଆଜି ଆମେ ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ ଏବଂ ବୈଶ୍ୱିକ ମହାମାରୀ ପରି ଯେଉଁ ବୃହତ୍ ବିପଦର ସାମ୍ନା କରୁଛୁ ତାହା ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ରହିଲେ କଦାପି ସମାଧାନ କରିହେବନାହିଁ, ବରଂ ମିଳିତ ଭାବେ ସେସବୁର ମୁକାବିଲା କରିବା ଆବଶ୍ୟକ।

ଏନ.ଆଇ.ଟି ରାଉରକେଲାରୁ ସ୍ନାତକୋତ୍ତର ହାସଲ କରିଥିବା ଓମ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ଯୁବ ଲେଖକ ଭାବେ ସମ୍ମାନୀତ ହୋଇ ସାରିଛନ୍ତି। ଖୋର୍ଦ୍ଧାର ଜଣେ ଛାତ୍ରନେତା ଭାବେ ପରିଚିତ ଥିବା ଓମଙ୍କୁ ଏକ ଆନ୍ତର୍ଜାତୀୟ ନେତୃତ୍ୱ ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳି ଯାଇଛି।

Leave A Reply

Your email address will not be published.