Odisha Link
Bridging the Missing Links in Odisha

ଜନସଂଖ୍ୟା ନିୟନ୍ତ୍ରଣ: ଶାଶୁ-ବୋହୂ ସମ୍ମିଳନୀ କରିବେ ଓଡ଼ିଶା ସରକାର

ଓଏଲ୍‌ ବ୍ୟୁରୋ: ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଓ ପରିବାର ଯୋଜନା ଶିକ୍ଷା ପ୍ରଦାନ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ନେଇଛି ନୂଆ ପଦକ୍ଷେପ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ଯେ, ପରିବାର ନିୟୋଜନ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ରାଜ୍ୟ ସରକାର ଖୁବଶୀଘ୍ର ‘ଶାଶୁ-ବୋହୂ ସମ୍ମିଳନୀ’ର ଆୟୋଜନ କରିବେ।

ପ୍ରଥମ ପର୍ଯ୍ୟାୟରେ ଚଳିତମାସ ଶେଷ ସପ୍ତାହରେ ଶାଶୁ-ବୋହୂ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ନୂଆ ବିବାହିତା ମହିଳା, ଗର୍ଭବତୀ ମହିଳା, ପରିବାର ନିୟୋଜନ ଶୈଳୀ ଆପଣାଇ ପିଲା ଜନ୍ମ କରୁଥିବା ମହିଳାମାନେ ଯୋଗ ଦେବେ। ନୂଆ ବିବାହିତା ମହିଳାଙ୍କୁ ବିବାହ ଉପହାର ଭାବେ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଦିଆଯିବ। ଆଶାକର୍ମୀମାନଙ୍କୁ ଏହି ସମ୍ମିଳନୀ ଆୟୋଜନ କରିବା ଦାୟିତ୍ୱ ନ୍ୟସ୍ତ ହୋଇଛି । ଏହି ସମ୍ମିଳନୀରେ ଶାଶୁ-ବୋହୂମାନଙ୍କୁ ପରିବାର ନିୟୋଜନ ସଂକ୍ରାନ୍ତରେ ସଚେତନ କରାଯିବ।

ରାଜ୍ୟ ପରିବାର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି, ଏହି ‘ଶାଶୁ-ବୋହୂ ସମ୍ମିଳନୀ’ ଦ୍ୱାରା ଶାଶୁ ଓ ବୋହୂଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନରେ ସୁଧାର ଆସିବ ଓ ପରିବାର ନିୟୋଜନରେ ସୁଧାର ଆସିପାରିବ। ମହିଳାମାନଙ୍କର ଏହି ସମାବେଶ ଦ୍ୱାରା ଶାଶୁ ଓ ବୋହୂଙ୍କୁ ଗୋଟିଏ ପ୍ଲାଟଫର୍ମ ମିଳିବ, ଯେଉଁଠି ମହିଳା ସଦସ୍ୟମାନେ ନିଜ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପାଇପାରିବେ। ଏହି କାର୍ଯ୍ୟକ୍ରମକୁ ଅଧିକ ରୁଚିପୂର୍ଣ୍ଣ ଢଙ୍ଗରେ କରିବା ନିମନ୍ତେ ପ୍ରୟାସ କରାଯାଉଛି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।

ସୂଚନାଥାଉକି, କେନ୍ଦ୍ର ସରକାର ୨୦୧୭ ମସିହାରେ ଦେଶର ୧୪୬ଟି ଜିଲ୍ଲାରେ ଜନ୍ମହାରକୁ ନିୟନ୍ତ୍ରଣ କରିବା ନିମନ୍ତେ ‘ମିଶନ ପରିବାର ବିକାଶ’ କାର୍ଯ୍ୟକ୍ରମ କରିଥିଲେ । ଓଡ଼ିଶାରେ ଜନ୍ମହାର ଜାତୀୟ ହାର ୨ରୁ କମ୍ ରହିଥିଲେ ମଧ୍ୟ ଆଧୁନିକ ଗର୍ଭନିରୋଧକ ଶୈଳୀର ଉପଯୋଗ, ଅବାଂଞ୍ଜିତ ମାତୃତ୍ୱ ଓ ଗର୍ଭପାତ ଆଦିରେ ସୁଧାର ଆସିପାରିନି।