ନବ ଦାସ ହତ୍ୟା ଘଟଣା : ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭରସା ନ ଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି କରିଛି। ହତ୍ୟା ଘଟଣାର ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳକୁ ଗିରଫ କରାଯାଇଥିବାବେଳେ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଜାରି କରିଛି କ୍ରାଇମବ୍ରାଞ୍ଚ।
ହତ୍ୟା ମାମଲାର ଏକ ସପ୍ତାହ ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନଥିବା ଜଣା ପଡିଛି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭରସା ନ ଥିବା ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିବା ସୂଚନା ମିଳିଛି। ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା କରାଯାଇଛି।
ଅନ୍ୟପଟେ, ନବ ଦାସ ହତ୍ୟା ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବିସ୍ଫୋରୋକ ବୟାନ ଦେଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର। ନବ ଦାସଙ୍କ ହତ୍ୟାର କାରଣ ରାଜନୈତିକ ଶତ୍ରୁତା କିମ୍ବା କୋଇଲା କଥା କିମ୍ବା ଅନ୍ୟାନ୍ୟ କଥା ହୋଇପାରେ ବୋଲି ସାଲୁଜା କହିଛନ୍ତି।
ମୋତେ ଏବଂ ସମସ୍ତଙ୍କୁ ବି ସନ୍ଦେହ ଅଛି ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମରେ ହୋଇଯିବ। ଏହି ହତ୍ୟାକାଣ୍ଡରେ ବଡ଼ ବଡ଼ ଲୋକଙ୍କର ସମ୍ପୃକ୍ତି ଥିବାରୁ ପ୍ରକୃତ ହତ୍ୟାକାରୀକୁ ସରକାର ଧରିପାରିବେ ନାହିଁ ବୋଲି କହିଲେ ସାଲୁଜା। ତେଣୁ ଆମେ ଏସଆଇଟି ତଦନ୍ତ ଦାବି କରୁଥିଲୁ କିନ୍ତୁ ରାଜ୍ୟ ସରକାର କେବଳ କ୍ରାଇମବ୍ରାଞ୍ଚ ତଦନ୍ତକୁ ନିର୍ଦ୍ଦେଶ ଦେଲେ ଯାହାର ତଦନ୍ତରେ କିଛି ସୁଫଳ ମିଳିବ ନାହିଁ ବୋଲି କହିଛନ୍ତି ସାଲୁଜା।
ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ମଧ୍ୟ ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମର୍ଡର ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା। ଗୋପାଳକୁ ଏହି ହତ୍ୟାକାଣ୍ଡରେ କେବଳ ମୋହରା ବନାଯାଇଛି। ନବ ଦାସଙ୍କର ବହୁତ ଗୁଡିଏ ବିଜନେସ୍ ଥିଲା, ବଡ଼ ସାମ୍ରାଜ୍ୟ ରହିଥିଲା।
ପଶ୍ଚିମ ଓଡିଶାର ଟାଣୁଆ ନେତା ଥିଲେ ସେ। ତାଙ୍କ ସାମ୍ରାଜ୍ୟକୁ ଖତମ କରି ସେଠୁ ଟଙ୍କା କଲେକ୍ସନ କରିବା ପାଇଁ କେହି ଜଣେ ନେତା ଏହି ହତ୍ୟାକାଣ୍ଡ କରାଇଛନ୍ତି। ସମ୍ପୂର୍ଣ୍ଣ ଭାବେ ଷଡ଼ଯନ୍ତ୍ର କରି ନବ ଦାସଙ୍କୁ ମାରି ଦିଆଯାଇଛି। ବିଜିନେସ ପାଇଁ ତାଙ୍କୁ ପଲିଟିକାଲି ମର୍ଡର କରାଯାଇଛି। ସେଠି ନବ ଦାସଙ୍କର ବିଜିନେସ ଯେପରି ଚାଲୁଥିଲା କିଛି ପଲିଟିକାଲ ଲୋକ ସେ ସାମ୍ରାଜ୍ୟକୁ ଅଧିକାର କରିବା ପାଇଁ ଏହି ମର୍ଡର କରିଛନ୍ତି।
ବିଜେଡି ଦଳର ନେତା ଏହି ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତି ରହିଥିବା ସେ ଅନୁମାନ କରୁଥିବା କହିଛନ୍ତି । ବହୁତ ବଡ଼ ନେତା ଏହି ହତ୍ୟାକାଣ୍ଡ ପଛରେ ଅଛନ୍ତି। ପଶ୍ଚିମ ଓଡିଶାର ନେତା ନୁହେଁ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି। ସିବିଆଇ ତଦନ୍ତ ହେଲେ ଏ ସବୁ କିଛିର ଗୁମର ଖୋଲିଯିବ ବୋଲି କହିଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ।