Odisha Link
Bridging the Missing Links in Odisha

ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଜାରି ହେଲା ହେଲ୍‌ପ ଲାଇନ ନମ୍ବର

ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ଆସିଲେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ହେଲ୍‌ପ ଲାଇନ ନମ୍ବରରେ ଜଣାଇପାରିବେ ବୋଲି ସୂଚନା ମିଳିଛି।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଦାବି ନେଇ ରାଜ୍ୟରେ ଡ୍ରାଇଭର ସଙ୍ଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ସରକାର ୩ ମାସ ସୁଦ୍ଧା ସେମାନଙ୍କ ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ଜାଣିବା ପରେ ଆଜି ବସ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ହେଲେ ଅନେକ ସ୍ଥାନରେ ବର୍ତ୍ତମାନ ସୁଦ୍ଧା ଆନ୍ଦୋଳନ ପରିତ୍ୟାଗ କରିନାହାନ୍ତି ଆନ୍ଦୋଳନକାରୀ। ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣା ପଡିଛି। ଏହାକୁ ଦୃଷ୍ଟିରେ ରଖି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ସୁବିଧା ପାଇଁ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି।

ଜାରି ହୋଇଥିବା ଦୁଇଟି ନମ୍ବର ହେଉଛି, ୯୪୩୭୨୧୮୧୨୧, ୮୨୪୯୪୬୭୬୭୫। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ବାଧା ଆସିଲେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ହେଲ୍‌ପ ଲାଇନ ନମ୍ବରରେ ଜଣାଇପାରିବେ ବୋଲି ସୂଚନା ମିଳିଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ରେ ଦିନକୁ ୩ଟି ସିଫ୍ଟରେ କର୍ମଚାରୀ ରହିବେ ବୋଲି ଜଣା ପଡିଛି।

ଅନ୍ୟପକ୍ଷେ, ଆନ୍ଦୋଳନରତ ଡ୍ରାଇଭରଙ୍କୁ ସତର୍କ କରିଛନ୍ତି ଡିଜିପି ସୁନୀଲ ବଂଶଲ। ଡିଜିପି କହିଛନ୍ତି, ପ୍ରତିଶ୍ରୁତି ସତ୍ତ୍ୱେ ଆନ୍ଦୋଳନ କରୁଛନ୍ତି ଡ୍ରାଇଭର। ଏହା ବେଆଇନ୍ ଅଟେ। କାଲି ପୁଲିସକୁ ଆକ୍ରମଣ ହୋଇଛି। ଆଇନ୍‌କୁ ହାତକୁ ନିଆଯାଇଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି। ତେବେ ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ଅସୁବିଧା ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।