ଘର ମାଲିକକୁ ଠକୁଥିଲେ, ଗିରଫ ହେଲେ ଦମ୍ପତି
ଆହୁରି ମଧ୍ୟ ଭଡାଘରକୁ ନିଜ ଘର କହି ନକଲି କାଗଜପତ୍ର ପ୍ରସ୍ତୁତ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଦମ୍ପତି।

ଓଏଲ୍ ବ୍ୟୁରୋ: ରାଜଧାନୀରେ ଘଟିଥିବା ଏକ ଚାଂଚଲ୍ୟକର ଖବର ସାମ୍ନାକୁ ଆସିଛି। ଜଣେ ଘର ମାଲିକଙ୍କୁ ହଇରାଣ କରୁଥିଲେ ଦମ୍ପତି। ଘର ମାଲିକକୁ ବ୍ଲାକମେଲିଂ କରି ଠକାମି ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱରର ହାଇପ୍ରୋଫାଇଲ୍ ଦମ୍ପତି। ଚନ୍ଦ୍ରଶେଖର ଥାନା ପୁଲିସ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରିଛି। କୋର୍ଟ ଚାଲାଣ ହେବା ପରେ ସେମାନଙ୍କୁ ଏବେ ଝାରପଡା ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଖବର ଅନୁସାରେ, ନକଲି ରେଜିଷ୍ଟ୍ରି ରେକର୍ଡ ଓ ଘର ମାଲିକଙ୍କୁ ଦୁଷ୍କର୍ମ ଉଦ୍ୟମ ମାମଲାରେ ଛନ୍ଦି କୋଟି କୋଟି ଟଙ୍କାର ଘରକୁ କବଜା କରିବାକୁ କରୁଥିଲେ ଭୁବନେଶ୍ୱରର ଏକ ଦାମ୍ପତି। ଦମ୍ପତି ହେଉଛନ୍ତି ସୋନାଟା ଦାସ ଓ ତାଙ୍କ ସ୍ୱାମୀ ସନ୍ଦୀପ୍ ଦାସ। ଘର ଭଡା ନେଇ ମାଲିକାନାର ଦାବି କରିଆସୁଥିଲେ ଏହି ଦମ୍ପତି। ୨୦୧୬ରେ ଏହି ଦମ୍ପତି ଭୁବନେଶ୍ୱର ଆସିଥିଲେ। ୨୦୧୭ ମସିହାରେ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା ସୁମନ ମିଶ୍ରଙ୍କ ତଳ ଘର ଭଡାରେ ନେଇ ପାର୍ଲର କରିଥିଲେ।
ଘର ଭଡା ନେବା ପୂର୍ବରୂ ମାଲିକଙ୍କ ସହ ଏକ ଚୁକ୍ତିନାମା କରି ବର୍ଷେ ପାଇଁ ଭଡା ମାସକୁ ୨୦ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। ବର୍ଷେ ପୂରିବା ପରେ ଭଡା ମାଗିବାରୁ ଘର ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଆହୁରି ମଧ୍ୟ ଭଡାଘରକୁ ନିଜ ଘର କହି ନକଲି କାଗଜପତ୍ର ପ୍ରସ୍ତୁତ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଦମ୍ପତି। ତେବେ ଏନେଇ ଘର ମାଲିକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ନିର୍ଦ୍ଦେଶରେ ହୋଇଥିବା ଯାଞ୍ଚରୁ କାଗଜପତ୍ର ନକଲି ବୋଲି ଜଣା ପଡିବା ପରେ ଏହି ଦମ୍ପତିଙ୍କୁ ଗିରଫ କରିଛି ପୁଲିସ।