Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ଓ ଭୂପେନ୍ଦର ଯାଦବଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଓଡ଼ିଶାରେ ଦିନକୁ ଦିନ ବଢ଼ି ଚାଲିଥିବା ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ।

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ହାତୀ ଓ ବନ୍ୟପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ହାତୀ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ହସ୍ତକ୍ଷେପ କରିବା ତଥା ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ମାଧ୍ୟମରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ଦିନକୁ ଦିନ ବଢ଼ି ଚାଲିଥିବା ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ। ଏହା ଆଜି ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି। ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ। ଏ ମଧ୍ୟରୁ କେବଳ ଗତ ତିନି ବର୍ଷ ଭିତରେ ୨୪୫ଟି ହାତୀଙ୍କର ମୃତ୍ୟୁ ଘଟିଛି। ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି।

ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି, ଯାହା ଗତ ତିନି ବର୍ଷ ମଧ୍ୟରେ ସର୍ବାଧିକ। ଅଧିକାଂଶ ହାତୀ ବିଦ୍ୟୁତ୍ ଆଘାତ, ରୋଗ ଅଥବା ଟ୍ରେନ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଶିକାର ହେବା ପରିତାପର ବିଷୟ ବୋଲି ସେ ପତ୍ର ମାଧ୍ୟମରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ମଧ୍ୟ ଲେଖିଛନ୍ତି, ହାତୀ ଓ ହଜାର ହଜାର ବନ୍ୟପ୍ରାଣୀଙ୍କର ମଧ୍ୟ ଏହିଭଳି ଅଭାବନୀୟ ମୃତ୍ୟୁ ଘଟୁଅଛି। ୨୦୧୭ -୧୮ରୁ ୨୦୨୧-୨୨ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ୪୧୬ଟି ହାତୀଙ୍କୁ ମିଶାଇ ସମୁଦାୟ ୨,୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ସେହିପରି, ହାତୀ-ମଣିଷ ସଂଘର୍ଷ ବେଳକୁ ବେଳ ଉତ୍କଟ ହେବାରେ ଲାଗିଛି। ଆମ ରାଜ୍ୟରେ ହାତୀ ଆକ୍ରମଣରେ ୬୬୯ ଜଣ ଲୋକ ଓ ୭୪୧ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୯,୧୫୧ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି।

ହାତୀ ହେଉଛି ଆମର ପରିବେଶ ସନ୍ତୁଳନ, ସାଂସ୍କୃତିକ ଐତିହ୍ୟ ଏବଂ ଓଡ଼ିଶାରର ସାମଗ୍ରିକ ପରିଚୟର ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ଆହୁରି ମଧ୍ୟ, ଆମ ବଣଜଙ୍ଗଲ ଓ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ସମ୍ପ୍ରଦାୟ ଗୁଡ଼ିକର ଜୀବନ ଜୀବିକା ପାଇଁ ହାତୀ ଭଳି ଅମୂଲ୍ୟ ବନ୍ୟପ୍ରାଣୀକୁ ପ୍ରାଥମିକତା ଦିଆଯିବା ନିହାତି ଆବଶ୍ୟକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାର ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ନିଜର ଦୃଢ଼ ପ୍ରତିବଦ୍ଧତା ଦେଖାଇ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜ ‘ମନ୍ କି ବାତ୍’ରେ ହାତୀଙ୍କ ଗୁରୁତ୍ୱ ଓ ସେମାନଙ୍କ ସଂରକ୍ଷଣ ଉପରେ ବାରମ୍ବାର ଆଲୋକପାତ କରି ଆସୁଛନ୍ତି। ହାତୀମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଅଞ୍ଚଳ ନେଟୱର୍କର ସମ୍ପ୍ରସାରଣ ଏବଂ ’ପ୍ରୋଜେକ୍ଟ ଏଲିଫେଣ୍ଟ’ ଆରମ୍ଭ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସ ହିଁ ଗଜରାଜଙ୍କ ସୁରକ୍ଷାର ଏକ ଶକ୍ତ ମୂଳଦୁଆ ପକାଇଛି।

କେନ୍ଦ୍ର ସରକାରଙ୍କ ପରି ସାରା ଓଡ଼ିଶାରେ ହାତୀର ସୁରକ୍ଷିତ ତଥା ଅବାଧ ବିଚରଣକୁ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ସମୟୋଚିତ ହସ୍ତକ୍ଷେପ ଅତି ଜରୁରୀ। ହାତୀଙ୍କ ସୁରକ୍ଷା ତଥା ସଂରକ୍ଷଣ ଦିଗରେ ଯଥାଶୀଘ୍ର ଦୃଢ଼ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଓ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

Leave A Reply

Your email address will not be published.