Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଛେନାପୋଡ଼ ଦିବସକୁ ବିଜେପି ନେତ୍ରୀ ଇରାନୀଙ୍କ ସମର୍ଥନ

ନୟାଗଡ଼: ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଭୁବନେଶ୍ବର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଥିବା ବେଳେ ଏହାକୁ ଭୁରିଭୁରି ପ୍ରଶଂସା କରିଛନ୍ତି ବିିଜେପି ନେତ୍ରୀ ଇରାନୀ ରାୟ । ନୟାଗଡ଼ ଓ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଏହି ଉତ୍ସବର ବିଜ୍ଞାପନ ଫଳକ ଶୋଭାପାଉଥିବା ବେଳେ ନୟାଗଡ଼ ସହରର ବ୍ରଜେଦ୍ର ଉଚ୍ଚ ବିଦ୍ୟାଳୟ ଠାରେ ଥିବା ବିଜ୍ଞାପନର ଫଟୋ ଚିତ୍ର ଫେସବୁକରେ ପୋଷ୍ଟ କରିଛନ୍ତି ଇରାନୀ ରାୟ । ନିଜ ଫେସବୁକ ପୋଷ୍ଟରେ ସେ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ଇରାନୀ ରାୟ ଲେଖିଛନ୍ତି,” ଅତି ଚତ୍ମକାର ପୋଷ୍ଟାର। ମୁଁ ଆଶା କରୁଛି କିଛି ଯୁବକଙ୍କ ମିଳିତ ସହଯୋଗରେ ଆୟୋଜିତ ଏଭଳି ଉଚ୍ଚମାନର ଉତ୍ସବକୁ ସମସ୍ତ ନୟାଗଡ଼ ଅଧିବାସୀ ସହଯୋଗ କରିବେ । ଏହା ଅତି ସୁନ୍ଦର ପ୍ରୟାସ । ମୋର ଶୁଭେଚ୍ଛା। ଏ ଯୁବକ ମାନଙ୍କୁ ଈଶ୍ବର ଆର୍ଶୀବାଦ କରନ୍ତୁ। “

ସୂଚନାଯୋଗ୍ୟ, ଜୟଦେବ ଭବନରେ ଏପ୍ରିଲ ୧୧ ହେବାକୁଥିବା ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠାଶିଳ୍ପୀ ତାନସେନ୍‌ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗ ଦେବେ। ଉତ୍ସବରେ ଅଧ୍ୟକ୍ଷତା କରିବେ ଲେଖକ ତଥା ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା।

ଏହି ଅବସରରେ ଏକ ଛେନାପୋଡ଼ ସଙ୍ଗୀତର ଶ୍ରୋତାର୍ପଣ ହେବ। ଏହାକୁ ଶୁଭ୍ରାଂଶୁ ପଣ୍ଡା ରଚନା ଓ ପରିକଳ୍ପନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମିଶ୍ର। ଏଥିରେ ଛେନାପୋଡ଼ର ମହିମାମଣ୍ଡନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ଓ ମହାପୁରୁଷମାନଙ୍କ ବାବଦରେ ବର୍ଣ୍ଣନା ରହିଛି।

ଏହି ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଦାସକାଠିଆ, ବାଘଭାଲୁ ନାଚ, ଠକରା, ଘୁଡ଼ୁକି, ଖଞ୍ଜଣି, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବ ।

Leave A Reply

Your email address will not be published.