Odisha Link
Bridging the Missing Links in Odisha

ଭୁବନେଶ୍ବରରେ ଛେନାପୋଡ଼ ଦିବସ, ମୁକ୍ତିଲାଭ କରିବ ‘ଛେନାପୋଡ଼ ସଂଗୀତ’

ଭୁବନେଶ୍ବର: ନୟାଗଡ଼ ବିକାଶ ମଞ୍ଚ ଓ ଓଡ଼ିଆ ମିଡିଆ ପ୍ରାଇଭେଟ ଲିମିଟେଡ ମିଳିତ ଆନୁକୁଲ୍ୟରେ ଆସନ୍ତା ଏପ୍ରିଲ୍‌ ୧୧ ତାରିଖରେ ଭୁବନେଶ୍ବର ଜୟଦେବ ଭବନଠାରେ ଛେନାପୋଡ଼ ଦିବସ ମହାସମାରୋହରେ ପାଳିତ ହେଉଛି। ଏ ନେଇ ମଞ୍ଚ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଓଡ଼ିଶାର ପ୍ରସିଦ୍ଧ ମିଠା ଛେନାପୋଡ଼କୁ ଅଧିକ ଲୋକପ୍ରିୟ ଓ ପ୍ରୋତ୍ସାହନ ଦେବା ଏ ଉତ୍ସବର ଉଦ୍ଦେଶ୍ୟ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଦିବସବ୍ୟାପୀ ଏହି ଉତ୍ସବରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ପ୍ରସିଦ୍ଧ କଣ୍ଠାଶିଳ୍ପୀ ତାନସେନ୍‌ ସିଂ ଓ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ସାବରମତି ଅତିଥି ଭାବେ ଯୋଗ ଦେବେ। ଉତ୍ସବରେ ଅଧ୍ୟକ୍ଷତା କରିବେ ଲେଖକ ତଥା ବିକାଶ ମଞ୍ଚର ଆବାହାକ ଶୁଭ୍ରାଂଶୁ ପଣ୍ଡା।

ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ଏହି ଉତ୍ସବରେ ଛେନାପୋଡ଼ ସଙ୍ଗୀତର ଶୋତାର୍ପଣ ହେବ। ଏହାକୁ ଶୁଭ୍ରାଂଶୁ ପଣ୍ଡା ରଚନା ଓ ପରିକଳ୍ପନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମିଶ୍ର। ଏଥିରେ ଛେନାପୋଡ଼ର ମହିମାମଣ୍ଡନ ସାଙ୍ଗକୁ ନୟାଗଡ଼ ଜିଲ୍ଲାର ଐତିହ୍ୟ, ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ଓ ମହାପୁରୁଷମାନଙ୍କ ବାବଦରେ ବର୍ଣ୍ଣନା ରହିଛି। ଉତ୍ସବରେ ସଭା, ସମ୍ବର୍ଦ୍ଧନା, ବନ୍ଧୁମିଳନ ଓ ପେଟପୂଜା ସାଙ୍ଗକୁ ପାଲା, ଦାସକାଠିଆ, ବାଘଭାଲୁ ନାଚ, ଠକରା, ଘୁଡ଼ୁକି, ଖଞ୍ଜଣୀ, ପାରମ୍ପରିକ ସଙ୍ଗୀତ ଓ ଆଧୁନିକ ସଙ୍ଗୀତ ପରିବେଷଣ କରାଯିବ।

ଛେନାପୋଡ଼କୁ ଜିଆଇ (ଭୌଗୋଳିକ ସ୍ବୀକୃତି) ମାନ୍ୟତା ଦେବା ଲାଗି ଦୁଇବର୍ଷ ହେଲା ମଞ୍ଚ ଉଦ୍ୟମ କରିଆସୁଛି। ଆଗକୁ ଏ ନେଇ ପ୍ରଚେଷ୍ଟା ତୀବ୍ରତର ହେବ ବୋଲି ଆଜି ମଞ୍ଚର କର୍ମକର୍ତାମାନେ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ଅବହେଳିତ ହୋଇ ପଡ଼ିଥିବା ବିଶ୍ବିବଖ୍ୟାତ ଜ୍ୟୋତିର୍ବିଦ ପଠାଣି ସାମନ୍ତଙ୍କ ଜନ୍ମସ୍ଥଳରେ ଏକ ସ୍ମାରକୀ ନିର୍ମାଣ ସାଙ୍ଗକୁ କବି ଯଦୁମଣି ଓ ପାଠାଗାର ଆନ୍ଦୋଳନର ପିତାମହ ଦାସିଆ ଅଜାଙ୍କ ଜନ୍ମପୀଠର ବିକାଶ ପାଇଁ ମଧ୍ୟ ନୟାଗଡ଼ ବିକାଶ ମଞ୍ଚ ସରକାରଙ୍କ ପାଖରେ ଦାବି ରଖିଛି।

ଛେନାପୋଡ଼ ହେଉଛି ଓଡ଼ିଶାର ଗୌରବ ଏବଂ ଛେନାପୋଡ଼ ଦିବସ ଉତ୍ସବ ହେଉଛି ଓଡ଼ିଶାର। ଏଣୁ ଏଥିରେ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଯୋଗଦେଇ ସମାରୋହକୁ ସଫଳ କରାଇବାକୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ମଞ୍ଚର ସକ୍ରିୟ ସଦସ୍ୟ ସୁବ୍ରତ କୁମାର ନାୟକ, ଆଶିଷ କୁମାର ରଥ, ସତ୍ବେନ୍ଦୁ ଶେଖର ମିଶ୍ର, ପ୍ରତ୍ୟୁଷ ଦେବାଶିଷ, ଆଶୁତୋଷ ଦାସ, ଉମାକାନ୍ତ ମହାପାତ୍ର, ସୁଧାଂଶୁ ଶେଖର ସାହୁ, ଅଫତାବ ହୋସେନ୍‌, ରାଜକିଶୋର ଡାକୁଆ, ରାଜେଶ ପରିଡ଼ା ଓ ରୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.