Odisha Link
Bridging the Missing Links in Odisha

ଆସନ୍ତାକାଲି ୧୨ ଘଣ୍ଟିଆ ବରଗଡ଼ ବନ୍ଦ ଡ଼ାକରା

ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା।

ଓଏଲ୍‌ ବ୍ୟୁରୋ: ସମ୍ବଲପୁରରେ ହନୁମାନ ଜୟନ୍ତୀ ରାଲି ସମୟରେ ହୋଇଥିବା ହିଂସାକାଣ୍ଡକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଛି। ସମ୍ବଲପୁର ଜିଲ୍ଲାରେ ୧୪୪ ଧାରା ଜାରି ରହିଛି। ଅନେକ ସ୍ଥାନରେ ପୁଲିସ ଛାଉଣୀ ରହିଥିବା ଦେଖିବାକୁ ମିଳିଛି। ସମ୍ବଲପୁରରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଆସନ୍ତାକାଲି ୧୯ ତାରିଖରେ ୧୨ ଘଣ୍ଟିଆ ବନ୍ଦପାଳନ ଲାଗି ଡାକରା ଦେଇଛି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ଏହାକୁ ହିନ୍ଦୁ ମହାସଭା ବି ସମର୍ଥନ କରୁଥିବା ଜଣାଯାଇଛି।

ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବରଗଡ଼ବାସୀଙ୍କୁ ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ଯାନବାହନ ଚଳାଚଳ ବନ୍ଦ ରଖିବାକୁ ନିବେଦନ କରାଯାଇଛି। ତେବେ ବନ୍ଦରୁ ଔଷଧ ଦୋକାନ ଓ ଜରୁରୀ ସେବାକୁ ବାଦ୍ ଦିଆଯିବ। ବରଗଡ଼ ସହର ସମ୍ପୂର୍ଣ୍ଣ ବନ୍ଦ ରହିବ। ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ କରାଯିବ ବୋଲି କୁହାଯାଇଛି। ଏଥିଲାଗି ଆଜି ବରଗଡ଼ରେ ବଜରଙ୍ଗ ଦଳ ଏକ ବାଇକ ରାଲି ଆୟୋଜିତ କରିବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ସମ୍ବଲପୁରରେ ହିନ୍ଦୁମାନଙ୍କ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ଶୁକ୍ରବାର ମଧ୍ୟରାତ୍ରିରୁ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଘୋଷଣା ପରେ ଶନିବାର ଦିନ ସମ୍ବଲପୁରରେ ହିଂସାକାଣ୍ଡ ଥମିଥିଲା। ହେଲେ ରବିବାର ସହରରେ ଆଉ ଥରେ ହିଂସାକାଣ୍ଡ ଫେରିବା ଆଜି ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ଘୋଷଣା ହୋଇଛି।

ସୋସିଆଲ୍‌ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜି ଦିନ ୧୦ଟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ସରୁଥିଲା। ଦୀର୍ଘ ୫ ଦିନ ଧରି ଇଣ୍ଟରନେଟ୍ ସେବାରୁ ସମ୍ବଲପୁରବାସୀ ବଞ୍ଚିତ ଥିବାରୁ ଆଜି କଟକଣା ହଟିବ ବୋଲି ଆଶା କରାଯାଉଥିଲା। ହେଲେ ଏହି ଅବଧିକୁ ଆଉ ୨୪ ଘଣ୍ଟା ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ। ଇଣ୍ଟରନେଟ୍ ସେବା ବନ୍ଦ ଥିବାରୁ ସମ୍ବଲପୁରବାସୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।