Odisha Link
Bridging the Missing Links in Odisha

ଛେନାପୋଡ଼କୁ ଜିଆଇ ମାନ୍ୟତା, ପଠାଣି ସାମନ୍ତ ସ୍ମାରକୀ ଦାବି

ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଆଗରେ ୧୦ ଦଫା ଦାବି ରଖାଯାଇଛି।

ଭୁବନେଶ୍ବର: ନୟାଗଡ଼ ଜିଲ୍ଲାର ସାମାଜିକ-ସାଂସ୍କୃତିକ-ସାମୂହିକ ବିକାଶ ପାଇଁ ସର୍ବଦା କାର୍ଯ୍ୟ କରିଆସିଛି ନୟାଗଡ଼ ବିକାଶ ମଞ୍ଚ। ଆଜି ନୟାଗଡ଼ ବିକାଶ ମଞ୍ଚର ସଦସ୍ୟମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନରେ ସାକ୍ଷାତ କରିବା ସହିତ ଜିଲ୍ଲାର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଦାବି ରଖିଛନ୍ତି।

ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ଆଗରେ ୧୦ ଦଫା ଦାବି ରଖାଯାଇଛି। ଯେପରିକି ବିଶ୍ବର ବିସ୍ମୟ ବ୍ୟକ୍ତିତ୍ବ ପଠାଣି ସାମନ୍ତ ଖଣ୍ଡପଡ଼ାସ୍ଥିତ ଜନ୍ମପୀଠ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଥିବା ବେଳେ ଏହାକୁ ଏକ ଜାତୀୟ ଐତିହ୍ୟ ସ୍ମାରକୀରେ ପରିଣତ କରାଯାଉ ବୋଲି ଦାବି କରାଯାଇଛି। ସେହିପରି ନୟାଗଡ଼ ଛେନାପୋଡ଼କୁ ଭୌଗଳିକ ସୂଚକାଙ୍କ (ଜିଆଇ) ମାନ୍ୟତା ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହ ଛେନାପୋଡ଼ କାରିଗରଙ୍କ ପାଇଁ ଏକ କ୍ଲଷ୍ଟର ନିର୍ମାଣ ପାଇଁ ଦାବି ରଖାଯାିଛି। ଛେନାପୋଡ଼ କାରିଗରମାନଙ୍କୁ ବୈଷୟିକ ପ୍ରଶିକ୍ଷଣ ଓ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯାଉ ବୋଲି ମଞ୍ଚ ପକ୍ଷରୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

ସେହିପରି ଛେନାପୋଡ଼ ଉପରେ ଅଧିକ ଗବେଷଣା, କବି ଯଦୁମଣି ମହାପାତ୍ର ଓ ଦାସିଆ ଅଜାଙ୍କ ଜନ୍ମପୀଠର ଉନ୍ନତିକରଣ, ନୟାଗଡ଼ରେ ପ୍ରସ୍ତାବିତ ମୁଗ ପ୍ରକ୍ରିୟାକରଣ କେନ୍ଦ୍ର ପ୍ରତିଷ୍ଠା ଏବଂ ଜଗନ୍ନାଥ ସଂସ୍କୃତିର ଆଦ୍ୟକ୍ଷେତ୍ର କଣ୍ଟିଲୋକୁ ରାଜ୍ୟ ରାଜଧାନୀରୁ ଚଉଡ଼ା ରାସ୍ତା ନିର୍ମାଣ କରିବା ପାଇଁ ମଧ୍ୟ ଦାବି ରଖାଯାଇଛି।। ଦାବିପତ୍ରରେ କୁହାଯାଇଛି, “କଣ୍ଟିଲୋଠାରେ ମହାନଦୀରେ ନୌକାବିହାର ବ୍ୟବସ୍ଥା ହେଉ, ସେଠାରେ ପାନ୍ଥ ନିବାସ କାର୍ଯ୍ୟକ୍ଷମ କରାଯାଉ। ନୟାଗଡ଼ ଚିନି କାରଖାନା ପୁଣିଥରେ କାର୍ଯ୍ୟକ୍ଷମ କରିବା ସହ ଆଖୁ ବ୍ୟବସାୟୀଙ୍କ ଆର୍ଥିକ ଓ ବୈଷୟିକ ପ୍ରୋତ୍ସାହନ ଦିଆଯାଉ। ଖଣ୍ଡପଡ଼ା ବ୍ଲକରେ ଥିବା ପ୍ରାର୍ଚୀନ ବୌଦ୍ଧ ପୀଠ ଯୋଗୀଯୋଗିଆଣୀର ଉନ୍ନତିକରଣ କରିବା ସହ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଥିବା ପ୍ରାକୃତିକ ଝରଣା ଗୁଡ଼ିକୁ ପ୍ରଶସ୍ତ ରାସ୍ତା ନିର୍ମାଣ ସାଙ୍ଗକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦିଆଯାଉ। ଭାପୁର ବ୍ଲକ ତରବାଲୋ ସ୍ଥିତ ଭାରତର ବୃହତ୍ତମ ଉଷ୍ମପ୍ରସବରଣର ଉନ୍ନତିକରଣ କରାଯାଉ।” ସେହିଭଳି ନୟାଗଡ଼ ସହରର ମଧ୍ୟ ସ୍ଥଳରେ ଏ ମାଟିର ପରିଚୟ ପଠାଣି ସାମନ୍ତଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିୀ ସ୍ଥାପନ କରାଯାଉ ବୋଲି ମଞ୍ଚ ଦାବି କରିଛି।

ନୟାଗଡ଼ ବିକାଶ ମଞ୍ଚର ଆବହାକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି, “ନୟାଗଡ଼ର ଜିଲ୍ଳାର କିଛି ଆଗ୍ରହୀ ଯୁବକଙ୍କୁ ନେଇ ୨୦୧୩ ମସିହାରେ ପ୍ରତିଷ୍ଠା କରାଯାଇଥିଲା ନୟାଗଡ଼ ବିକାଶ ମଞ୍ଚ। ନୟାଗଡ଼ ଜିଲ୍ଳାର ସାମାଜିକ, ସାଂସ୍କୃତିକ ଓ ସାମୂହିକ ବିିକାଶ ପାଇଁ ନୟାଗଡ଼ ବିକାଶ ମଞ୍ଚର ସଦସ୍ୟମାନେ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ବିଗତ ୨ ବର୍ଷ ଧରି ନୟାଗଡ଼ ବିକାଶ ମଞ୍ଚ ରାଜଧାନୀ ଭୁବନେଶ୍ବରରେ ଛେନାପୋଡ଼ ଦିବସ ପାଳନ କରିବା ସହିତ ଛେନାପୋଡ଼କୁ ଜିଆଇ ମାନ୍ୟତା ଲାଗି ଲଢ଼େଇ କରି ଆସୁଛି। ଏହି କ୍ରମରେ ଆଜି ଆମେ ରାଜ୍ୟପାଳଙ୍କୁ ଭେଟି ଜିଲ୍ଲାର ବିକାଶ ପାଇଁ ୧୦ ଦଫା ଦାବି ପତ୍ର ପ୍ରଦାନ କରିଛୁ।”

ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡାଙ୍କ ନେତୃତ୍ବରେ ମଞ୍ଚର ସହଆବାହକ ସୁବ୍ରତ କୁମାର ନାୟକ ଓ ସଦସ୍ୟ ସତ୍ୟେନ୍ଦୁ ଶେଖର ମିଶ୍ର, ରାଜେଶ କୁମାର ପରିଡ଼ା ଏବଂ ଆଫତାବ୍‌ ହୋସେନ୍‌ ପ୍ରମୁଖ ରାଜଭବନରେ ଉପସ୍ଥିତ ରହି ମହାମହିମ ରାଜ୍ୟପାଳଙ୍କୁ ନୟାଗଡ଼ରୁ ଆନୀତ ସ୍ବତନ୍ତ୍ର ଛେନାପୋଡ଼ ଉପହାର ଦେବା ସହ ଦାବିପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.