Odisha Link
Bridging the Missing Links in Odisha

ରଞ୍ଜନ ଦାସ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ମଧ୍ୟ ଲୁଟ୍‌ କରିଦେବେ : ସୂଚନା ଅଧିକାର କର୍ମୀ

ଓଏଲ୍‌ ବ୍ୟୁରୋ: ୬ ଦିନ ତଳେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ରଞ୍ଜନ ଦାସଙ୍କୁ ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରିଥିଲେ। ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଶ୍ରୀ ଦାସଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଓଡ଼ିଶା ସୂଚନା ଅଧିକାର ଅଭିଯାନ ଶ୍ରୀ ଦାସଙ୍କ ନାମରେ ଆଣିଛି ସାଂଘାତିକ ଅଭିଯୋଗ। ରଞ୍ଜନ ଦାସ ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଲୁଟ୍‌ କରିଦେବେ ବୋଲି ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା କହିଛନ୍ତି।

ଓଡ଼ିଶା ସୂଚନା ଅଧିକାର ଅଭିଯାନର ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା, ପ୍ରଦୀପ ପ୍ରଧାନ ଓ ତାଙ୍କ ସହଯୋଗୀ ଭୁବନେଶ୍ବରର ଲୋହିଆ ଏକାଡେମୀରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ନୂଆ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହୋଇଥିବା ରଞ୍ଜନ ଦାସଙ୍କ ବିରୁଦ୍ଧରେ ଆଣିଛନ୍ତି ଅଭିଯୋଗ। ଯାଜପୁର ଜିଲ୍ଲାପାଳ ଥିବାବେଳେ ରଞ୍ଜନ କୁମାର ଦାସଙ୍କ ନାଁ ରେ ବିଛାଖଣ୍ଡି ପାହାଡ଼ରେ ୨ଶହ କୋଟି ଟଙ୍କାର କଳାପଥର ଦୁର୍ନୀତିରେ ସମ୍ପୃକ୍ତି ଥିବାର ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି। କଳାପଥର ଖାଦାନ ପାଇଁ ବେଆଇନ ଭାବରେ ଲିଜଧାରୀଙ୍କୁ ସୁରକ୍ଷା ଏବଂ ସହଯୋଗ କରିବାର ଗୁରୁତର ଅଭିଯୋଗ ଆଣିଛି ସୂଚନା ଅଧିକାର ଅଭିଯାନ। ରଞ୍ଜନଙ୍କ ବାବଦରେ ସବୁଠାରୁ ଭୟଙ୍କର ତଥ୍ୟ ଭିଜିଲାନ୍ସ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରିକି ଭିଜିଲାନ୍ସ ରିପୋର୍ଟରେ ଅଭିଯୁକ୍ତ ତାଲିକାର ୧ ନମ୍ବର ଅଭିଯୁକ୍ତ ଭାବେ ରଞ୍ଜନ ଦାସଙ୍କୁ ଦର୍ଶାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି, ଯାଜପୁର ଜିଲ୍ଲାର ଧର୍ମଶାଳାର ବିଛାଖଣ୍ଡି ପାହାଡ଼ରେ ଦୀର୍ଘଦିନ ଧରି ଖଣି ବେପାରୀଙ୍କ ଦ୍ୱାରା ଚାଲିଥିବା ବେଧଡ଼କ କଳାପଥର ଚୋରିର ତଦନ୍ତ କରି ରାଜ୍ୟ ଭିଜିଲାନ୍‌ସ ଏହି ଚୋରି ଯୋଗୁ କୋଟି କୋଟି ଟଙ୍କାର ରାଜସ୍ୱ କ୍ଷତି ହୋଇଛି ବୋଲି ବୋଲି ଏକ ରିପୋର୍ଟ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛି। ଲୋକାୟୁକ୍ତ ଏହି ରିପୋର୍ଟ ଆଧାରରେ ଏହି ହରିଲୁଟ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆସନ୍ତା ଜୁନ ୨୩ ତାରିଖ ମଧ୍ୟାରେ ଜବାବ ଦାଖଲ ପାଇଁ ନୋଟିସ୍ ଜାରି କରିଛନ୍ତି। ଯେଉଁଥିରେ ତତ୍କାଳୀନ ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସଙ୍କ ନାମ ରହିଛି। ଖଣି ଲୁଟରେ ସମ୍ପୃକ୍ତ ଥିବା ରଂଜନ ଦାସ ଏବେ ଶ୍ରୀମନ୍ଦିରରେ କିଭଳି ସ୍ୱଚ୍ଛତା ରଖିବେ ବୋଲି ପ୍ରଶ୍ନ କରିଛନ୍ତି ସୂଚନା ଅଧିକାର କର୍ମୀ।

ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମସିହାରୁ ବିଛାଖଣ୍ଡି ପାହାଡ଼ରେ ଚାଲିଥିବା ବ୍ୟାପକ କଳାପଥର ଲୁଟ୍ ସମ୍ପର୍କରେ ସୂଚନା ଅଧିକାର କର୍ମୀ ଶ୍ରୀ ସର୍ବେଶ୍ୱର ବେହୁରା ସର୍ବପ୍ରଥମେ ଲୋକଲୋଚନକୁ ଆଣିଥିଲେ। ସୂଚନା ଅଧିକାର ଆଇନ ବଳରେ କଟକସ୍ଥିତ ଡି.ଏଫ୍‌.ଓ.ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୮୯୦ ଏକର ଜମି ଉପରେ ଅବସ୍ଥିତ ଏହି ବିଛାଖଣ୍ଡି ସଂରକ୍ଷିତ ଜଙ୍ଗଲ ମଧ୍ୟରେ କଳାପଥର ଖଣି ଲିଜ୍ ଦେବାପାଇଁ କେନ୍ଦ୍ର ସରକାର କୌଣସି ଅନୁମତି ଦେଇନାହାନ୍ତି।

ଶ୍ରୀ ବେହୁରା କହିଛନ୍ତି, ଖଣି ମାଫିଆମାନେ ବେଆଇନ ଭାବେ ଶହଶହ ଟନ୍ କଳାପଥର ଚୋରି କରୁଛନ୍ତି ବୋଲି ଡି.ଏଫ୍‌.ଓ. ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ। ସୂଚନା ଅଧିକାର ଆଇନ ବଳରେ ଧର୍ମଶାଳା ତହସିଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ଉକ୍ତ ଅଞ୍ଚଳରେ ଖଣି ଖନନ ପାଇଁ କୌଣସି ବ୍ୟକ୍ତିଙ୍କୁ ଲିଜ୍ ଦିଆଯାଇ ନାହିଁ ଏବଂ ଯେଉଁ ଖଣି ଖନନ ଚାଲିଛି ତାହା ସମ୍ପୂର୍ଣ୍ଣ ବେଆଇନ।

ଅପରପକ୍ଷେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ବିରୋଧରେ ସୂଚନା ଅଧିକାର କର୍ମୀଙ୍କ ଦୁର୍ନୀତି ଅଭିଯୋଗର ଜବାବ ରଖିଛି ବିଜେଡି। ଯାହା ବିରୋଧରେ ଦୁର୍ନୀତି ପ୍ରମାଣିତ ହୋଇଛି ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିକ୍ରିୟା ରଖିଛି ବିଜେଡି।

Leave A Reply

Your email address will not be published.