Odisha Link
Bridging the Missing Links in Odisha

+୨ ରେଜଲ୍ଟ: ଆଗରେ ନୟାଗଡ଼, ପଛରେ ବୌଦ୍ଧ ଓ ଗଜପତି

ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ।

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ। ବିଧିବଦ୍ଧ ଭାବେ ଘୋଷଣା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି। ଚଳିତ ବର୍ଷ ବିଜ୍ଞାନରେ ୮୪.୯୩% ପାସ ହାର ହୋଇଥିବାବେଳେ ବାଣିଜ୍ୟରେ ୮୧.୧୨ ପ୍ରତିଶତ ପାସ ହାର ରହିଛି। ସେହିଭଳି ନୟାଗଡ଼ ଜିଲ୍ଲାରେ ବିଜ୍ଞାନରେ ୯୬.୪୧ ଓ ବାଣିଜ୍ୟରେ ୯୩.୯ ପ୍ରତିଶତ ଅର୍ଥାତ ସର୍ବାଧିକ ପାସ ହାର ରହିଥିବାବେଳେ ବୌଦ୍ଧ ଓ ଗଜପତିର ସର୍ବନିମ୍ନ ପାସ ହାର ରହିଛି।

ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ। ବିଜ୍ଞାନରେ ପରୀକ୍ଷା ଦେଇଥିଲେ ୯୩,୭୩୪। ସେଥିମଧ୍ୟରୁ ପାସ ହୋଇଛନ୍ତି ୭୮,୯୩୮ ଛାତ୍ରଛାତ୍ରୀ। ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଓ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି।

ରେଜଲ୍ଟ ପ୍ରକାଶ ପାଇବା ନେଇ ପୂର୍ବରୁ ସିଏଚଏସିସି, ପରୀକ୍ଷା ନିୟନ୍ତ୍ରକ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତେବେ ଆଜି କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ପରବର୍ତ୍ତୀ ସମୟରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ ନିଜର ଫଳାଫଳ ଜାଣିବା ପାଇଁ orissaresults.nic.in କିମ୍ବା chseodisha.nic.in ୱେବସାଇଟରେ ଯାଇ ଚେକ କରିପାରିବେ।

ଖବର ଅନୁସାରେ, ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା। ସେହିପରି ଏପ୍ରିଲ୍ ୧୦ ତାରିଖରେ ଖାତା ଦେଖା ଆରମ୍ଭ ହୋଇଥିଲା। ଏପଟେ ଆରମ୍ଭ ହୋଇଛି ଯୁକ୍ତଦୁଇ ପ୍ରଥମ ବର୍ଷର ନାମଲେଖା ପ୍ରକ୍ରିୟା। ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

Leave A Reply

Your email address will not be published.