Odisha Link
Bridging the Missing Links in Odisha

ବୟାନ ଦେଲେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ, ଛାତିଥରା ଦୁର୍ଘଟଣାର କହିଲେ କାରଣ

ଭୁବନେଶ୍ବର ଘରୋଇ ହସ୍ପିଟାଲରେ ରେକର୍ଡ ହୋଇଛି ବୟାନ।

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ରେଳ ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଜର ଜୀବନ ହରାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।

ଦୁର୍ଘଟଣା ଘଟିବାର କାରଣ କ’ଣ ହୋଇପାରେ, ଏନେଇ ଅନେକ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ନିଜର ବୟାନ ଦେଲେ କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟ ଗୁଣନିଧି ମହାନ୍ତି। ବୟାନ ରେକର୍ଡ କଲେ ଖୋର୍ଦ୍ଧାରୋଡ୍‌ ରେଲୱେ ଡିଭିଜନ ସୁରକ୍ଷା କମିଶନର। ଭୁବନେଶ୍ବର ଘରୋଇ ହସ୍ପିଟାଲରେ ରେକର୍ଡ ହୋଇଛି ବୟାନ।

ଉଭୟ ଡ଼୍ରାଇଭର ଗୁଣନିଧି ମହାନ୍ତି ଓ ସହାୟକ ଡ୍ରାଇଭର ହଜାରୀ ବେହେରାଙ୍କ ବୟାନ ରେକର୍ଡ ହୋଇଛି। ରେକର୍ଡ ହୋଇଥିବା ବୟାନ ଅନୁସାରେ, ଲୁପ୍‌ ଲାଇନ ପାଇଁ ଗ୍ରୀନ ସିଗନାଲ ଥିଲା। ସିଗନାଲ ପାଇଁ ଲୁପ ଲାଇନ ଯାଇଥିଲା କରମଣ୍ଡଳ। ରେଲୱେ ବୋର୍ଡକୁ ଏହା କହିଥିଲେ ଡ୍ରାଇଭର।

ବାହାନଗା ଟ୍ରାଜେଡିରେ ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ କରାଯାଇଛି। ୧୭୦ ମୃତଦେହ ଚିହ୍ନଟ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ସରିବା ପରେ ମୃତଦେହ ହସ୍ତାନ୍ତର କରାଯାଉଛି। ମୃତଦେହ ନେବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।