Odisha Link
Bridging the Missing Links in Odisha

୨୩୦ କିଲୋମିଟର ଆସି ମଲା ପୁଅକୁ ବଞ୍ଚାଇଲେ ବାପା!

ଡାକ୍ତରଖାନାରେ ତା’ର ଚିକିତ୍ସା କରାଇ ପୁଣି ଉନ୍ନତ ଚିକିତ୍ସା ପାଇଁ କୋଲ୍‌କାତା ନେଇଯାଇଛନ୍ତି।

ଓଏଲ୍‌ ବ୍ୟୁରୋ: ସେଦିନ ଥିଲା ଶୁକ୍ରବାର ଆଉ ଘଣ୍ଟାରେ ବାଜିଥିଲା ପାଖାପାଖି ୭ଟା ୧୫ ମିନିଟ୍‌। ଠିକ ସେହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଯାହା ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଥିଲା। ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଆଉ ସେଥିରେ ଅନେକ ପ୍ରାଣ ହରାଇଥିବାବେଳେ ଏବେବି ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି ଅନେକ ଆହତ।

ଦୁର୍ଘଟଣା ହେବା ପରେ ଅନେକ ଶବ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଦଳ। ସରକାରଙ୍କ ପକ୍ଷରୁ ଶବକୁ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି, କାରଣ ଉଦ୍ଧାର ହୋଇଥିବା ଅନେକ ଶବର ବର୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ। ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାରେ ପୁଅ ମରିଥିବା ଖବରକୁ ଅଗ୍ରାହ୍ୟ କରି ଜଣେ ବାପା ଆମ୍ବୁଲାନ୍‌ସ୍‌ରେ ୨୩୦ କିଲୋମିଟର୍‌ ଦୂର ବାଲେଶ୍ବରକୁ ଆସି ଅସ୍ଥାୟୀ ଲାସ୍‌ଖାନାରେ ପୁଅକୁ ଚିହ୍ନଟ କରିଥିଲେ। ଡାକ୍ତରଖାନାରେ ତା’ର ଚିକିତ୍ସା କରାଇ ପୁଣି ଉନ୍ନତ ଚିକିତ୍ସା ପାଇଁ କୋଲ୍‌କାତା ନେଇଯାଇଛନ୍ତି।

ସୂଚନା ଅନୁସାରେ, ସରକାରଙ୍କ ପକ୍ଷରୁ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶବ ମଧ୍ୟରେ ଜଣେ ଯୁବକଙ୍କ ଶବ ମଧ୍ୟ ଥିଲା, କିନ୍ତୁ ମୃତ୍ୟୁ ସମ୍ବାଦକୁ ଅଗ୍ରାହ୍ୟ କରି ନିଜ ପୁଅକୁ ଜୀବିତ ଖୋଜିପାଇଛନ୍ତି ଜଣେ ବାପା। ମୃତ ବୋଲି ଘୋଷଣା କରାଯାଇଥିବା ପୁଅ ହେଉଛନ୍ତି ୨୪ ବର୍ଷିୟ ବିଶ୍ବଜିତ୍‌ ମଲିକ। ତା’ର ମୃତ୍ୟୁ ସମ୍ବାଦକୁ ବିଶ୍ବାସ କରିପାରି ନ ଥିବା ବାପା ହେଉଛନ୍ତି ହେଳାରାମ ମଲିକ।

ଶୁକ୍ରବାର ଦିନ ଶାଲିମାର୍‌ ଷ୍ଟେସନ୍‌ରେ ବିଶ୍ବଜିତଙ୍କୁ ଛାଡ଼ି ଆସିବାର କିଛି ସମୟ ପରେ ହାୱାଡ଼ାରେ ଦୋକାନ ଖୋଲିଥିବା ହେଳାରାମ ଟ୍ରେନ୍‌ ଦୁର୍ଘଟଣା ଖବର ପାଇଥିଲେ। ବିଶ୍ବଜିତ୍‌ଙ୍କ ମୋବାଇଲ୍‌ ଫୋନ୍‌କୁ ସେ କଲ୍‌ କଲେ। କ୍ଷୀଣ ସ୍ବରରେ ଜବାବ ମିଳିଲା, ମୁଁ ବଞ୍ଚିଛି, କିନ୍ତୁ ଖୁବ୍‌ କଷ୍ଟ ହେଉଛି। ଆଉ କିଛି ନ ବିଚାରି ହେଳାରାମ ସ୍ଥାନୀୟ ଆମ୍ବୁଲାନ୍‌ସ୍ ଡ୍ରାଇଭର୍‌ ପଳାଶ ପଣ୍ଡିତଙ୍କୁ ଡକାଇ, ଶଳା ଦୀପକ ଦାସଙ୍କୁ ସାଥିରେ ନେଇ ରାତାରାତି ବାଲେଶ୍ବର ବାହାରିଲେ। କିନ୍ତୁ, ବାଲେଶ୍ବରର କୌଣସି ଡାକ୍ତରଖାନାରେ ସେମାନେ ବିଶ୍ବଜିତର ସନ୍ଧାନ ପାଇଲେ ନାହିଁ।

ବିଶ୍ବଜିତର ବାପା ନିରାଶ ନ ହୋଇ ସୁରାକ ପାଇବା ଆଶାରେ ଲୋକମାନଙ୍କୁ ପଚାରିଲେ। ଜଣେ ତାଙ୍କୁ କହିଲେ ଯେ, ଯଦି ଡାକ୍ତରଖାନାରେ ପାଉନାହଁ, ବାହାନଗା ହାଇସ୍କୁଲ୍‌କୁ ଯାଅ। ସେଠାରେ ଶବ ସବୁ ରଖାଯାଇଛି। ତାଙ୍କ କଥା ଗ୍ରହଣ ନ କରି ସୁଦ୍ଧା ସେଠାକୁ ଗଲେ। ଶବ ଦେଖିବାକୁ ଛଡ଼ା ଗଲାନାହିଁ। ଟିକିଏ ପରେ, ଜଣକର ଡାହାଣ ହାତ ଥରୁଥିବା କଥା କେହି ଜଣେ ଦେଖିବା ପରେ ସେଠାରେ ଚହଳ ପଡ଼ିଗଲା। ସେ ହାତଟି ବିଶ୍ବଜିତର ବୋଲି ଚିହ୍ନି ପକାଇଲୁ। ଭୀଷଣ ଆହତ ହୋଇ ସେ ଅଚେତ ହୋଇପଡ଼ିଥିଲା। ପରେ ତାଙ୍କୁ କୋଲ୍‌କାତାର ‘ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ ନିଆଯାଇଥିଲା।

‘ଟ୍ରମା କେୟାର୍‌ ୟୁନିଟ୍‌’ରେ ଚିକିତ୍ସାଧୀନ ଥିବା ବିଶ୍ବଜିତଙ୍କର ଚେତା ଫେରିନାହିଁ। ରବିବାର ଦିନ ତାଙ୍କ ପାଦଗଣ୍ଠିରେ ଅସ୍ତ୍ରୋପଚାର କରାଯାଇଛି। ଆଜି ଆଉ ଗୋଟାଏ ଗୋଡ଼ରେ ଅସ୍ତ୍ରୋପଚାର କରାଯିବ। ଲାସ୍‌ଖାନାରେ ଥରୁଥିବା ତା’ର ଡାହାଣ ହାତର ହାଡ଼ ବହୁ ସ୍ଥାନରେ ଭାଙ୍ଗି ଯାଇଛି। ସାଙ୍ଘାତିକ ଆହତ ହୋଇଥିଲେ ବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଜଣା ପଡିଛି।