Odisha Link
Bridging the Missing Links in Odisha

‘ବାହାନଗା ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ ହୋଇଛି’

ମୃତଦେହ ନେବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କୁ ମର୍ମାହତ କରିଥିଲା। ରେଳ ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଜର ଜୀବନ ହରାଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ହୋଇ ମେଡିକାଲ ବେଡ଼ରେ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି।

ବାହାନଗା ଟ୍ରାଜେଡିରେ ବର୍ତ୍ତମାନ ସୁଦ୍ଧା ୧୭୦ ମୃତଦେହ ଚିହ୍ନଟ କରାଯାଇଛି। ୧୭୦ ମୃତଦେହ ଚିହ୍ନଟ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସମସ୍ତ ପ୍ରକ୍ରିୟା ସରିବା ପରେ ମୃତଦେହ ହସ୍ତାନ୍ତର କରାଯାଉଛି। ମୃତଦେହ ନେବା ପାଇଁ ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଦୁର୍ଘଟଣାସ୍ଥଳରେ ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ ତଦନ୍ତ ଆରମ୍ଭ କରିଛନ୍ତି। ଏହା ସହ ଖଡ଼ଗପୁର ଡିଭିଜନର ଏଡିଆରଏମ ଓ ଏଜିଏମଙ୍କ ବି ତଦନ୍ତ ଆରମ୍ଭ। ସିଗନାଲ ମେସିନ ଓ ଅନ୍ୟାନ୍ୟ ଜିନିଷ ଯାଞ୍ଚ କରିବା ସହ ଘଟଣାସ୍ଥଳରେ ରେଳ ଅଧିକାରୀଙ୍କ ସହ ଆଲୋଚନା କଲେ ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ। କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଥିଲା ସମୀକ୍ଷା କରିବା ସହ ସେ ନିଜର ମତାମତ ରଖିଛନ୍ତି।

ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ ଘଟଣାର ଅନୁଧ୍ୟାନ କରିବା ସହ କହିଛନ୍ତି, ଘଟଣାର ପ୍ରାରମ୍ଭିକ ତଦନ୍ତ ଚାଲିଛି। ସାଉଥ ଇଷ୍ଟର୍ଣ୍ଣ ସର୍କଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି, ତଦନ୍ତ ପାଇଁ ସମୟ ଲାଗିବ। ଘଟଣାର ସମ୍ପୂର୍ଣ ତଦନ୍ତ ପରେ ସ୍ପଷ୍ଟ କାରଣ ଜଣାପଡ଼ିବ ବୋଲି କହିଛନ୍ତି ରେଲୱେ ସେଫ୍ଟି କମିଶନର ଶୈଳେଶ ପାଠକ।

Leave A Reply

Your email address will not be published.