Odisha Link
Bridging the Missing Links in Odisha

ଆଜିଠୁ +୨ ନାମଲେଖା: ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷରୁ ଅଧିକ ପିଲାଙ୍କୁ ସୁଯୋଗ

୮୯ ପ୍ରତିଶତ କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି।

ଓଏଲ୍ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଜିଠୁ +୨ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଆରମ୍ଭ ହୋଇଛି। ଗତକାଲି ଚଳିତ ବର୍ଷର ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଅନୁସାରେ ଆଜିଠୁ ନାମଲେଖା କରାଯିବ। ସକାଳ ୯ରୁ ୫ଟା ଯାଏ ନାମଲେଖା ଚାଲିବ। ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ପିଲା ଆବେଦନ କରିଥିଲେ। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ଆଗରେ ରହିଛି।

ବିଜ୍ଞାନରେ ୯୧.୬୭ ପ୍ରତିଶତ, ବାଣିଜ୍ୟରେ ୭୯.୨୦ ପ୍ରତିଶତ, କଳାରେ ୮୦ ପ୍ରତିଶତ ସହ ରେଭେନ୍ସା ଆଗରେ ରହିଛି। ସେହିପରି ଏଫଏମ କଲେଜରେ ବିଜ୍ଞାନ କଟ ଅଫ୍ ମାର୍କ ୯୦ ପ୍ରତିଶତ। ୮୯ ପ୍ରତିଶତ କଟ୍ ଅଫ୍ ସହ ତୃତୀୟ ସ୍ଥାନରେ ବିଜେବି କଲେଜ ରହିଛି। କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି। ତେବେ ପ୍ରଥମ କଟ୍ ଅଫରେ ୪,୧୨,୩୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।

ପ୍ରଥମ କଟ୍ ଅଫରେ ୨ଲକ୍ଷ ୩ହଜାର ୫୪୩ ଛାତ୍ର ଏବଂ ୨ଲକ୍ଷ ୮ହଜାର ୭୭୮ ଛାତ୍ରୀଙ୍କୁ ଚୟନ କରାଯାଇଛି। କଳାରେ ସର୍ବାଧିକ ୨,୫୩,୧୭୮ ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ ୧,୨୧,୦୨୩ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ସେହିପରି ବାଣିଜ୍ୟରେ ୨୫ହଜାର ୧୬୮ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏହି ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ଆଜିଠୁ ଅର୍ଥାତ ଜୁଲାଇ ୭ରୁ ୧୩ ତାରିଖ ମଧ୍ୟରେ ନାମ ଲେଖାଇପାରିବେ।

ସୂଚନା ଅନୁସାରେ, ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିଥିଲେ। ମେ ୨୯ରୁ ନାମଲେଖା ଆବେଦନ ଆରମ୍ଭ ହୋଇଥିବା ବେଳେ ଜୁନ୍ ୩୦ରେ ଶେଷ ହୋଇଥିଲା। ନାମଲେଖା ପ୍ରକ୍ରିୟା ଜୁଲାଇ ୨୯ ତାରିଖ ସୁଦ୍ଧା ଶେଷ କରାଯିବ। ଅଗଷ୍ଟ ୧ ତାରିଖରୁ ପାଠପଢ଼ା ଆରମ୍ଭ ହେବା ନେଇ ସୂଚନା ଜାରି ହୋଇଛି।

Leave A Reply

Your email address will not be published.