Odisha Link
Bridging the Missing Links in Odisha

‘ସବୁ ଚୋରଙ୍କ ଉପନାମ ମୋଦୀ କାହିଁକି, ରାହୁଲଙ୍କ ଏହି ଶବ୍ଦ ଆମକୁ ଆଘାତ ଦେଇଥିଲା’

ଆମର ଅପମାନ ହୋଇଥିବାରୁ ଆମେ ରାହୁଲ୍ ଗାନ୍ଧୀଙ୍କ ନାଁରେ କୋର୍ଟରେ କେସ୍ ଦେଇଥିଲୁ

ଓଏଲ୍ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଆଶ୍ବସ୍ତି। ମୋଦି ସରନେମ ମାମଲାରେ ରାହୁଲଙ୍କ ଆବେଦନ ଖାରଜ କଲେ କୋର୍ଟ। ସୁରତ କୋର୍ଟଙ୍କ ରାୟର ପୁନଃବିଚାର କରିବା ସହ ଦିଆଯାଇଥିବା ଦଣ୍ଡ ଉପରେ ରୋକ ଲଗାଇବାକୁ ରାହୁଲ ଗାନ୍ଧୀ ଆବେଦନ କରିଥିଲେ। କିନ୍ତୁ ସୁରତ କୋର୍ଟଙ୍କ ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। ଏହାକୁ ନେଇ ବିଜେପି ନେତା ପୁରନେସ୍ ମୋଦୀ କହିଛନ୍ତି ଯେ, ହଜାର ହଜାର ସଂଖ୍ୟାର ଜନସଭାରେ ରାହୁଲ ଗାନ୍ଧୀ କହିଥିଲେ ‘ସବୁ ଚୋରଙ୍କ ଉପନାମ ମୋଦୀ କାହିଁକି’। ରାହୁଲଙ୍କ ଏହି ଶବ୍ଦ ଆମକୁ ଆଘାତ ଦେଇଥିଲା। ଆମର ଅପମାନ ହୋଇଥିବାରୁ ଆମେ ରାହୁଲ୍ ଗାନ୍ଧୀଙ୍କ ନାଁରେ କୋର୍ଟରେ କେସ୍ ଦେଇଥିଲୁ।

ସୂଚନା ଅନୁସାରେ, ସବୁ ଚୋର କାହିଁକି ମୋଦି ସାଙ୍ଗିଆ ବହନ କରିଛନ୍ତି ବୋଲି ୨୦୧୯ ଏପ୍ରିଲ୍‌ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍‌ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ତେବେ ଏହି ମାନହାନି ମାମଲାକୁ ନେଇ କୋର୍ଟରେ କେଶ ଦାଏର ହୋଇଥିଲା। ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍‌ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ।

ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍‌ଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।

ଉପରୋକ୍ତ ମାମଲାର ଶୁଣାଣି କରି ଗୁଜରାଟର ସୁରତ ଜିଲ୍ଲାସ୍ଥିତ ଏକ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡାଦେଶ ଦେଇଥିଲେ। ପରେ କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଥିଲା। ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍. ଏଚ୍‌. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।