ସେତୁ ଯୋଜନାରେ ସାମିଲ ହେବ ୧୦ ଗୋଟି ପଞ୍ଚାୟତ, ବ୍ୟୟ ଅଟକଳ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ସେତୁ ଯୋଜନା ଅଟକଳ ହୋଇଥିବା ବ୍ୟୟକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍ର ୧୦ ଗୋଟି ପଞ୍ଚାୟତକୁ ସାମିଲ କରିବାକୁ ମୁଖ୍ୟମତରି ନିର୍ଦେଶ ଦେଇଛନ୍ତି। ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍ଧି କରି ଚିତ୍ରକୋଣ୍ଡା ବ୍ଲକ୍ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍ର ନାକାମାମୁଡି ପଞ୍ଚାୟତ ସହିତ ମୋଟ ୧୦ ଗୋଟି ଅନୁନ୍ନତ ପଞ୍ଚାୟତକୁ ସେତୁ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେତୁ ଯୋଜନାରେ ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।
ଚିତ୍ରକୋଣ୍ଡା ବ୍ଳକ୍ର ୯ ଗୋଟି ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତକୁ ଗୁରୁପ୍ରିୟା ସେତୁ ଦ୍ବାରା ସଂଯୋଗ କରାଯାଇଅଛି, ଯାହା ସ୍ବାଭିମାନ ଅଞ୍ଚଳ ନାମରେ ନାମିତ। ଏହି ଅନୁନ୍ନତ ଅଞ୍ଚଳର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସେତୁ ଯୋଜନା ୨୦୧୮ ମସିହାରୁ କାର୍ଯ୍ୟକାରି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଳକ୍ ପରିଦର୍ଶନ କରିଥିଲେ। ଏହା ସହ ଲୋକମାନଙ୍କ ସ୍ବାର୍ଥ, ସେମାନଙ୍କର ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ। ଏତଦ୍ବ୍ୟତୀତ ଏହି ଅଞ୍ଚଳର ଶାନ୍ତି ଓ ସୁରକ୍ଷା ପାଇଁ ନିୟୋଜିତ ଅର୍ଦ୍ଧସାମରିକ ବାହିନୀ ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ସେତୁ ଯୋଜନାରେ ୯ କୋଟି ୬୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।