ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ: କ୍ରୁଟର ଦାଇତ୍ୱ ନେଲେ ପ୍ରସନ୍ନ କୁମାର ଷଡ଼ଙ୍ଗୀ

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି। ଓଡ଼ିଶା ମଦ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ବରିଷ୍ଠ ଓଏଏସ ଅଫିସର ପ୍ରସନ୍ନ କୁମାର ଷଡ଼ଙ୍ଗୀଙ୍କୁ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ର ଜେନେରାଲ ମ୍ୟାନେଜର(ପିଆଣ୍ଡଏ) ଭାବେ ଦାଇତ୍ୱ ମିଳିଛି। ବରିଷ୍ଠ ଓଏଏସ୍ ଅଫିସର ଅଶୋକ କୁମାର ପଣ୍ଡାଙ୍କୁ ଇଏସଆଇ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଅଛି।
ସୂଚନା ଅନୁସାରେ, କ୍ରୁଟ୍ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ରଙ୍କୁ କାଜୁ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବାବେଳେ ଭୁବନେଶ୍ୱର ଉପଜିଲ୍ଲାପାଳ ନିବେଦିତା ବିଶ୍ୱାଳ ଶ୍ରମ ଓ ଇଏସଆଇ ବିଭାଗର ଯୁଗ୍ମ ସଚିବ କରାଯାଇଛି। ଭୁବନେଶ୍ୱର ସ୍ଥିତ ଇଡକୋ ଲ୍ୟାଣ୍ଡ ଅଫିସର ବରଣ୍ୟେନ୍ଦୁ ମହାନ୍ତିଙ୍କୁ ଅନୁଗୁଳ ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି।
ସେହିପରି ପୁରୀ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ପାତ୍ରଙ୍କ ମିଶନ ଶକ୍ତି ବିଭାଗର ବଦଳିକୁ ବାତିଲ କରି ତାଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ(ଏସଡିଏମ) ଭାବେ ବଦଳି କରାଯାଇଛି। ଓଏଏସ୍ ପରୀକ୍ଷିତ ସାହୁଙ୍କୁ ଦେବଗଡ଼ ଉପଜିଲ୍ଲାପାଳ, ପ୍ରସନ୍ନ କୁମାର ତରାଇଙ୍କୁ ଆଠଗଡ଼ ଉପଜିଲ୍ଲାପାଳ ଓ ସମ୍ପଦ କୁମାର ଦଳାଇଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର(ପ୍ରଶାସନ) ଭାବେ ବଦଳି ହୋଇଛି।