Odisha Link
Bridging the Missing Links in Odisha

୨୫ ବର୍ଷ ତଳର ମାମଲା: ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

ଓଏଲ୍‌ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ସିପିଆଇ ନେତା ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡ। ଆଜି ବ୍ରହ୍ମପୁର ଏଡିଜେ-୩ କୋର୍ଟ ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୧୯୯୮ ମସିହାରେ ହୋଇଥିବା ପୁଲିସ ଆର୍‌ଆଇ ହତ୍ୟା ମାମଲାରେ କୋର୍ଟ ଶୁଣାଇ ନାରାୟଙ୍କ ସମେତ ଜଣଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଛି।

ସୂଚନାଥାଉକି, ୧୯୯୮ ମସିହାରେ ଗଞ୍ଜମ ଜିଲ୍ଲା ସିନ୍ଧି ଗାଁରେ ଟାଟା ଅଧିକୃତ ଜମିକୁ ନେଇ ଏକ ସଭା ହୋଇଥିଲା। ସଭାରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ହଠାତ୍‌ ଗଣ୍ଡଗୋଳ ଓ ମାରପିଟ୍‌ ହୋଇଥିଲା। ଏଥିରେ ପୁଲିସ ଆର୍‌ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା।

କୋର୍ଟଙ୍କ ରାୟ ଆସିବା ପରେ ନାରାୟଣ ରେଡ୍ଡୀ କହିଛନ୍ତି, ଲୋକଙ୍କ ଉପରେ ପ୍ରଥମେ ପୁଲିସ ଆକ୍ରମଣ କରିଥିଲା। ତାପରେ କେହି ଜଣେ ଉତ୍ୟକ୍ତ ହୋଇ କିଏ ପୁଲିସ ଉପରେ ବୋମାଟିଏ ଫିଙ୍ଗିଦେଲା। ଲୋକଙ୍କ ଉପରେ ଆକ୍ରମଣ କରିବାର ଅଧିକାର ପୁଲିସ୍‌ର ରହିଛି। ହେଲେ ପୁଲିସ୍‌ ଉପରକୁ ବୋମା ଫିଙ୍ଗିବାର ଅଧିକାର କାହିଁକି ନାହିଁ? ତେବେ ଯିଏ ବୋମା ଫିଙ୍ଗିଛି, ତାକୁ ଦଣ୍ଡିତ କର। ସାଧାରଣ ଲୋକ ଓ ଚାଷୀଙ୍କୁ ନ୍ୟାୟ ନାହିଁ। ଆମେ ମର୍ମାହତ। ରାୟ ବିରୋଧରେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ନାରାୟଣ ରେଡ୍ଡୀ।

Leave A Reply

Your email address will not be published.