Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣାକୁ ପୂରିବ ୨ ମାସ; ଏବେ ବି ପରିଚୟ ଖୋଜୁଛି ୨୯ ମୃତଦେହ

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ଆସନ୍ତାକାଲି ଦୁଇ ମାସ ପୂରିବ। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୯ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଛି।

ଭୁବନେଶ୍ୱର ଏମ୍ସର ସୂଚନା ଅନୁସାରେ, ୧୬୨ଟି ମୃତଦେହ କର୍ତ୍ତୃପକ୍ଷ ରଖିଥିଲେ। ସେଥିରୁ ପ୍ରଥମ ପର୍ଯ୍ୟାୟରେ ୮୧ଟି ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା। ଗୋଟିଏ ଗୋଟିଏ ମୃତଦେହର ଏକାଧିକ ଦାବିଦାର ଆସିବା ଫଳରେ ମୃତଦେହ ଓ ଦାବିଦାରଙ୍କ ଡିଏନଏ ମ୍ୟାଚ୍ କରାଯାଇଥିଲା। ଡିଏନଏ ମ୍ୟାଚ୍ ପରେ ୫୨ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା।

ଚଳିତ ସପ୍ତାହରେ ଆସିବ ଶେଷ ପର୍ଯ୍ୟାୟ ଡିଏନ୍‌ଏ ମ୍ୟାଚିଙ୍ଗ ରିପୋର୍ଟ। ସେଥିରୁ ଅତି ବେଶୀରେ ଆଉ ଦୁଇ ତିନୋଟି ମରଶରୀରର ସାମ୍ପୁଲ ମ୍ୟାଚ କରିପାରେ ବୋଲି ଏମ୍‌ସ ଭୁବନେଶ୍ଵର ଅଧିକ୍ଷକ ପ୍ରଫେସର ଡାକ୍ତର ଦିଲ୍ଲୀପ ପରିଡା କହିଛନ୍ତି। ଏପରିକି ଦାବିଦାର ନଥିବା ମୃତଦେହ ଗୁଡ଼ିକୁ କ’ଣ କରାଯିବ ସେ ନିଷ୍ପତ୍ତି କେନ୍ଦ୍ର ଓ ରାଜ୍ୟ ସରକାର ନେବେ ବୋଲି ପ୍ରଫେସର ପରିଡ଼ା କହିଛନ୍ତି।

ସୂଚନାଥାଉକି, ଜୁନ୍‌ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଥିଲା। ଯାହା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଥିଲା। ସେଦିନ ରାତି ସମୟରେ ହାୱାଡ଼ାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଲୋପ୍‌ ଲାଇନ୍‌ରେ ଛିଡ଼ା ହୋଇଥିବା ମାଲ୍‌ବାହୀ ଟ୍ରେନ୍‌କୁ ଧକ୍କା ଦେଇ ଅନ୍ୟ ଏକ ଟ୍ରାକ୍‌ରେ ବାଙ୍ଗରୁରୁ-ସାଲିମାର ଅଭିମୁଖେ ଆସୁଥିବା ୟଶବନ୍ତ ଏକ୍ସପ୍ରେସ୍‌ ଉପରେ ପଡ଼ିଥିଲା। ଯାହାଫଳରେ ୨୯୪ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ୧୦୦୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

Leave A Reply

Your email address will not be published.