ଗୋଟିଏ ମଞ୍ଚରେ ନବୀନ-ଶାହ

ଓଏଲ୍ ବ୍ୟୁରୋ: ଅମିତ ଶାହଙ୍କ ଭୁବନେଶ୍ବର ଗସ୍ତ ନେଇ ରାଜ୍ୟ ବିଜେପି ବେଶ୍ ଚଳଚଞ୍ଚଳ। ମଧ୍ୟରାତ୍ରିରେ ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଂଚିଥିଲେ। ରାତି ପାଖାପାଖି ୧୧ଟା ୫୦ରେ ବିମାନ ବନ୍ଦରରେ ଶାହ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଲୋକସେବା ଭବନର କନଭେନସନ୍ ସେଂଟରରେ ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ଲୋକାର୍ପଣ ଅବସରରେ ଯୋଗଦେଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଛନ୍ତି। ଏହା ପରେ ରାଜ୍ୟ ସରକାରଙ୍କ ସହ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଶାହ ଆଲୋଚନା କରିବେ। ଏହା ପରେ ଶାହ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯିବେ। କାର୍ଯ୍ୟାଳୟରେ ଭବ୍ୟ ସ୍ୱାଗତ କରାଯିବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।
ସୂଚନା ଅନୁସାରେ, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ମୋହନ ମାଝୀ, ଗୋଲକ ମହାପାତ୍ର ପ୍ରମୁଖ ବହୁ ନେତା ତାଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଜଣାଇଥିଲେ। ଏହା ପରେ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ଯାଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ। ପାରମ୍ପରିକ ନାଚ ଗୀତ ସହ ତାଙ୍କୁ ସ୍ୱାଗତ କରାଯାଇଥିଲା। ରାଜ୍ୟ ବିଜେପି ନେତା ମଧ୍ୟ ଶାହଙ୍କ ଗସ୍ତ ପାଇଁ ବେଶ୍ ଉତ୍ସାହିତ। ହାତରେ ପ୍ଲାକାର୍ଡ ଧରି ଅମିତ ଶାହଙ୍କୁ ସ୍ୱାଗତ କରିବା ପାଇଁ ଏକାଠି ହୋଇଥିଲେ।