Odisha Link
Bridging the Missing Links in Odisha

ଆଜିର ଦିନ ଗୁରୁତ୍ବପୂର୍ଣ୍ଣ, ଚନ୍ଦ୍ରର କକ୍ଷପଥ ଅଭିମୁଖେ ଚନ୍ଦ୍ରଯାନ-୩

ଅଗଷ୍ଟ ୨୩ କିମ୍ବା ୨୪ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

ଓଏଲ୍‌ ବ୍ୟୁରୋ: ଚନ୍ଦ୍ରର କକ୍ଷ ପଥ ଅଭିମୁଖେ ଚନ୍ଦ୍ରଯାନ-୩। ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରୁଥିବାରୁ ଆଜି ଚନ୍ଦ୍ରଯାନ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ। ଆଜି ସନ୍ଧ୍ୟାରେ ଚନ୍ଦ୍ରର କକ୍ଷ ପଥରେ ଚନ୍ଦ୍ରଯାନ-୩ ପ୍ରବେଶ କରିବ ବୋଲି ଆଶା ରହିଛି। ସୋମବାର ବିଳମ୍ବତି ରାତିରେ ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଚନ୍ଦ୍ରଯାନ-୩ ଯାତ୍ରା ଆରମ୍ଭ କରିଥିଲା।

ଟ୍ରାନ୍ସ ଲୁନାର ଇଞ୍ଜେକସନ (ଟିଏଲଆଇ) ଦ୍ବାରା ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ପ୍ରେରଣ କରାଯାଇଛି। ଜୁଲାଇ ୧୪ରେ ଚନ୍ଦ୍ରଯାନ-୩କୁ ଚନ୍ଦ୍ର ଅଭିମୁଖେ ଉତ୍‌କ୍ଷେପଣ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି। ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବାବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବ।

ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରୁଥିବାରୁ ଆଜି ଚନ୍ଦ୍ରଯାନ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ। ଆଜି ସନ୍ଧ୍ୟା ୭ଟାରେ ଲୁନାର ଅରବିଟ ଇଞ୍ଜେକସନ ବା ଏଲଓଆଇ ସଂଗଠିତ ହେବ ଏବଂ ଚନ୍ଦ୍ରର ଅତି ନିକଟତର ପଏଣ୍ଟରେ ଏହା ଘଟିବ ବୋଲି ଇସ୍ରୋ କହିଛି। ଆସନ୍ତା ୧୭ଦିନ ଚନ୍ଦ୍ରୟାନ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି। ଗତ ୧ ତାରିଖରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଚେଷ୍ଟା ବି କରାଯାଇଥିଲା। ଅଗଷ୍ଟ ୨୩ କିମ୍ବା ୨୪ରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

ଚନ୍ଦ୍ରଯାନରେ ରହିଛି ମୋଟ ୩ହଜାର ୯ଶହ କିଲୋଗ୍ରାମ ଓଜନର ପ୍ରପଲସନ୍ ମଡ୍ୟୁଲ, ଲ୍ୟାଣ୍ଡର୍ ଓ ରୋଭର୍। ଜୁଲାଇ ୧୪ ତାରିଖ ଅପରାହ୍ନ ୨ଟା ୩୫ ମିନିଟ ସମୟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-୩।

ଚନ୍ଦ୍ରଯାନ-୩ରେ ଓଡ଼ିଶାର ଯୋଗଦାନ:

ଭାରତର ତୃତୀୟ ଚନ୍ଦ୍ର ମିଶନରେ ଓଡ଼ିଶାର ବି ରହିଛି ବଡ଼ ଯୋଗଦାନ। ଚନ୍ଦ୍ରଯାନ-୩ର ବହୁ ଗୁରୁତ୍ୱପୂର୍ଣ୍ଣ ତଥା ଜଟିଳ ଯନ୍ତ୍ରାଂଶ ତିଆରି ହୋଇଛି ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ୍ ଟୁଲରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର ବା ସିଟିଟିସିରେ। ଲଞ୍ଚ ଭେହିକିଲ୍ ଓ ସ୍ପେଶକ୍ରାଫ୍ଟ ପାଇଁ ଭାଲ୍ଭ, ଇଣ୍ଟେରିଆଲ୍ ନାଭିଗେସନ୍ ସିଷ୍ଟମ, ଜାଇରୋସ୍କୋପ୍, ଲେଜର୍ ଜାଇରୋ, ଟେଂପରେଚର୍ ସେନ୍ସର ଆଦି ୧୨ କୋଟି ଟଙ୍କାର ଯନ୍ତ୍ରାଂଶ ଏଠାରେ ନିର୍ମାଣ ହୋଇଥିଲା।

Leave A Reply

Your email address will not be published.