Odisha Link
Bridging the Missing Links in Odisha

ଝଲସିବ ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର ମନ୍ଦିର, ୧୫.୫୮ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ମନ୍ଦିରର ରୂପାନ୍ତରୀକରଣ ପାଇଁ ନୂତନ ପଦକ୍ଷେପ ନିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ମନ୍ଦିରର ଉନ୍ନତିକରଣ, ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କରାଯିବ। ୫-ଟି ଉପକ୍ରମରେ ସମଗ୍ର ପୀଠର ରୂପାନ୍ତର ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୧୫.୫୮ କୋଟି ମଞ୍ଜୁର କରିଛନ୍ତି।

ମନ୍ଦିରର ରୂପାନ୍ତର ପାଇଁ ହୋଇଥିବା ମାଷ୍ଟରପ୍ଲାନ ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକଳ୍ପକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇ ବିକଶିତ କରାଯିବ। ଏହି ୪ଟି ଜୋନ୍‌ ହେଉଛି – ବଡମ୍ବା ମନ୍ଦିର, ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳ, ସପିଂ କମ୍ପ୍ଲେକ୍ସ ଓ ପାର୍କ ଏବଂ ପାନ୍ଥଶାଳା ଅଞ୍ଚଳ।

ଜୋନ୍‌-୧ ବଡମ୍ବା ମନ୍ଦିରରେ ଭକ୍ତମାନଙ୍କ ସୁବିଧା ପାଇଁ ପଥର ପାହାଚ, ବେଞ୍ଚ, ୱାଚ ଟାୱାର, ବସିବା ସ୍ଥାନ ଆଦି ବିକଶିତ କରାଯିବ। ଜୋନ୍‌-୨ରେ ପଞ୍ଚଲିଙ୍ଗେଶ୍ବର ମନ୍ଦିର ଓ ଜଳପ୍ରପାତ ଅଞ୍ଚଳର ବିକାଶ ହେବ। ଏଥିସହ ଗୁମ୍ଫା ଓ ଯଜ୍ଞ ମଣ୍ଡପକୁ ପ୍ରବେଶ ପଥ ନିର୍ମାଣ ଏବଂ ପୂଜାର୍ଚ୍ଚନା ସ୍ଥାନର ପରିବର୍ଦ୍ଧନ କରାଯାଇ ସୌନ୍ଦର୍ଯ୍ୟକରଣ କରାଯିବ।

ଜୋନ୍‌-୩ ରେ ସପିଂ କମ୍ପ୍ଲେକ୍ସ ନିର୍ମାଣ ସହ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ପର୍ଯ୍ୟଟକଙ୍କ ପାଇଁ ଜୋନ୍‌-୪ ପାନ୍ଥଶାଳା ଅଞ୍ଚଳରେ ପାର୍କିଂ ତଥା ପିକ୍‌ନିକ୍‌ ପାଇଁ ପିଣ୍ଡିର ବ୍ୟବସ୍ଥା ରହିବ। ଏଠାରେ ଫୁଡକୋର୍ଟ, ଜଳକ୍ରୀଡ଼ା ଓ ପିଲାମାନଙ୍କ ଖେଳ ପାଇଁ ସୁବିଧା କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.