ବାଚସ୍ପତି ନିର୍ବାଚନରେ ଯୋଗଦେବେନି କଂଗ୍ରେସ ବିଧାୟକ!

ଓଏଲ୍ ବ୍ୟୁରୋ: ଆସନ୍ତା ୨୧ରେ ବାଚସ୍ପତି ନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହା ପରେ ବାଚସ୍ପତି ନିର୍ବାଚନକୁ ନେଇ କଂଗ୍ରେସ ବିରୋଧ ସ୍ୱର ଉତ୍ତୋଳନ କରିଛି। ବାଚସ୍ପତି ନିର୍ବାଚନକୁ ବୟକଟ୍ କରିବେ ବୋଲି ନରସିଂହ ମିଶ୍ର କହିଛନ୍ତି। ଏହା ସହ କଂଗ୍ରେସର କୌଣସି ବି ବିଧାୟକ ନିର୍ବାଚନରେ ଭାଗ ନେବେନି। ନୂଆଖାଇ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ, ୨ ଦିନ ପାଳନ ହୁଏ। ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ୨୧ରେ ବିଧାନସଭା ଡାକିଛନ୍ତି। ପ୍ରତିବାଦ ସତ୍ତ୍ୱେ କର୍ଣ୍ଣପାତ କରୁନାହାନ୍ତି, ପଶ୍ଚିମ ଓଡ଼ିଶା ପ୍ରତି ଉପହାସ। ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳାଯାଉଛି ବୋଲି ନରସିଂହ ମିଶ୍ର କହିଛନ୍ତି।
ସୂଚନା ଅନୁସାରେ, ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି। ଆସନ୍ତା ୨୧ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଥିବାବେଳେ ୧୮ରେ ନାମାଙ୍କନ ଦାଖଲ କରାଯିବ। ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡ଼ିଛି।