Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ନେତାଜୀ ବସ ଟର୍ମିନାଲ, ଖର୍ଚ୍ଚ ହୋଇଛି ୯୦ କୋଟି

ଓଏଲ୍‌ ବ୍ୟୁରୋ: ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସ୍‌ ଟର୍ମିନାଲ। କଟକର ବିକାଶରେ ଯୋଡ଼ି ହେଲା ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀ ବସ୍‌ ଟର୍ମିନାଲକୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦଘାଟନ କରିବା ପରେ ସେ ବସ୍‌ ଟର୍ମିନାଲ ବୁଲି ଦେଖିଛନ୍ତି। ନେତାଜୀ ବସ ଟର୍ମିନାଲରୁ ପ୍ରଥମେ ପୁରୀ, ନବରଙ୍ଗପୁର ଓ ରାୟଗଡାକୁ ଯାତ୍ରୀବାହୀ ବସ୍‌ ଗଡ଼ିଛି। ୧୫ ଏକର ପରିମିତ ଜମି ଉପରେ ନିର୍ମିତ ବସ ଟର୍ମିନାଲରେ ଖର୍ଚ୍ଚ ହୋଇଛି ୯୦.୨ କୋଟି ଟଙ୍କା ।

କଟକ ସନସାଇନ ପଡ଼ିଆ ଠାରେ ହେଲିପ୍ୟାଡ଼ରେ ଅବତରଣ କଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ। ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସାଂସଦ ଭର୍ତ୍ତୃହରି ମହତାବ, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ମହାନଗର ନିଗମ କମିସନର ନିଖିଲ ପବନ କଲ୍ୟାଣ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ନେତାଜୀ ବସ୍‌ ଟର୍ମିନାଲ ଉଦ୍‌ଘାଟନ ପୂର୍ବରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ। ୧୦୦ ପୁଲିସ ଅଧିକାରୀ ମୁତୟନ ଥିଲେ। ଭିଡ଼ ନିୟନ୍ତ୍ରଣ ନେଇ ଟ୍ରାଫିକ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯାଇଥିଲା। ବସ ଟର୍ମିନାଲରେ ଡ୍ରାଇଭର ଏବଂ ବସର ସହାୟକମାନଙ୍କ ପାଇଁ ବିଶ୍ରାମ ଗୃହ, ଆହାର କେନ୍ଦ୍ର, ମିସନ ଶକ୍ତି କାଫେ ଓ ବସ୍‌ ରହଣି ସ୍ଥାନ ରହିଛି। ଯାତ୍ରୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ବସ୍‌ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ୨୦ଟି ‘ମୋ ବସ୍‌’ ସହ ମୋଟ ୧୯୧ଟି ବସ୍‌ ମଧ୍ୟ ରହଣୀର ସୁବିଧା ରହିଛି।

Leave A Reply

Your email address will not be published.