Odisha Link
Bridging the Missing Links in Odisha

ଏଣିକି ସଂସଦକୁ ଯିବେ ୩୩% ମହିଳା

ଓଏଲ୍‌ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ସଂସଦର ସ୍ବତନ୍ତ୍ର ଅଧିବେଶନ। ଆଉ ଅଧିବେଶନର ଆରମ୍ଭରୁ ମହିଳା ସଂରକ୍ଷଣକୁ ନେଇ ଓଡ଼ିଶାର ବଡ଼ ବିଜୟ। ଏଣିକି ସଂସଦକୁ ଯିବେ ୩୩% ମହିଳା।ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲେ। ଏହି ବୈଠକରେ ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି। ଲୋକସଭା ଓ ଦେଶର ବିଭିନ୍ନ ରାଜ୍ୟ ବିଧାନସଭାରେ ଏଣିକି ମହିଳାମାନଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ହେବ।

ଗଣେଶ ପୂଜା ଅବସରରେ ସଂସଦର ନୂଆ କୋଠାରେ ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟ ଆରମ୍ଭ ହେବ। ଏହି ସମୟରେ ସରକାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଣିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ ମହିଳା ସଂରକ୍ଷଣ ବିଲ୍‌କୁ ଅନୁମୋଦନ ମିଳିଛି। ହେଲେ ସରକାର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରି ନାହାନ୍ତି। ସାଧାରଣତଃ କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀମାନେ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଅନ୍ତି।

ଅନ୍ୟପଟେ ଆଜି ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ର କହିଥିଲେ ଯେ, ନୂଆ ସଂସଦ ଭବନରେ ହେବାକୁ ଯାଉଥିବା ଅଧିବେଶନରେ ପ୍ରଥମ ବିଲ୍ ଭାବେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ଦିଅନ୍ତୁ ସରକାର। ସେ ଆହୁରି କହିଥିଲେ, ସଂସଦର ୭୫ ବର୍ଷ ପୂରଣ ସତ୍ତ୍ବେ ଏବେ ବି ମହିଳା ସଂରକ୍ଷଣ ବିଲ୍ ଗୃହୀତ ହୋଇପାରିନାହିଁ। ଆସନ୍ତାକାଲିଠାରୁ ନୂଆ ସଂସଦ ଭବନରେ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାବେଳେ ମହିଳା ସଂରକ୍ଷଣ ବିଲ୍ ପାସ ଲାଗି ସେ ଦାବି କରିଛନ୍ତି।

ସୂଚନାଥାଉକି, ଗତକାଲି ସର୍ବଦଳୀୟ ବୈଠକ ରେ ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ର ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଥିଲେ। ମୁଖ୍ୟମନ୍ତ୍ରୀ ସର୍ବଦା ଏହି ବିଲ ପାରିତ ପାଇଁ ଦାବି କରିଆସିଛନ୍ତି। ରବିବାର ଡକାଯାଇଥିବା ବୈଠକରେ ବିଜୁ ଜନତା ଦଳ (ବିଜେଡି) ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ) ସମେତ ଅଧିକାଂଶ ଆଞ୍ଚଳିକ ଦଳ ମହିଳା ସଂରକ୍ଷଣ ବିଲ୍ ସଂସଦରେ ଆଗତ କରିବାକୁ ଜିଦ୍ ଧରିଥିଲେ।

Leave A Reply

Your email address will not be published.