Odisha Link
Bridging the Missing Links in Odisha

ଇସ୍ରାଏଲ-ହମାସ ଯୁଦ୍ଧ ଜାରି; ଗଲାଣି ୩ ହଜାରରୁ ଅଧିକ ଲୋକଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ପଞ୍ଚମ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଇସ୍ରାଏଲ ସେନା ନିଜ ଦଖଲକୁ ନେଇଛି। ହମାସ କବ୍‌ଜାରେ ଥିବା ଅଞ୍ଚଳକୁ ଦଖଲ କଲା ଇସ୍ରାଏଲ ସେନା।

ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଗାଜାରେ ୨ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘ ପକ୍ଷରୁ ସୂଚନା ମିଳିଛି। ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଫିଲସ୍ତାନୀ ଚରମପନ୍ଥୀ ସଂଗଠନ ହମାସ ଦ୍ୱାରା ଶନିବାର ଦିନ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଥମରୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲେ।

ସୂଚନା ଅନୁସାରେ, ଗତ ଶନିବାର ହମାସ ଆତଙ୍କବାଦୀ ଇସ୍ରାଏଲର ପ୍ରମୁଖ ସହର ଉପରେ ୫ହଜାର ମିସାଇଲ ମାଡ କରିିଥିଲା। ଏହାସହ ଇସ୍ରାଏଲରେ ଅନୁପ୍ରବେଶ କରି ଅନେକ ସାଧାରଣ ନାଗରିକଙ୍କ ହତ୍ୟା କରିବା ସହ ଦୁଇ ଶହରୁ ଅଧିକ ଲୋକଙ୍କୁ ହମାସ ଆତଙ୍କୀ ଅପହରଣ କରିନେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ ଯୁଦ୍ଧ ଡାକରା ଦେଇଛି। ଗାଜା ପଟ୍ଟି ଉପରେ ଇସ୍ରାଏଲ ସେନା ଜୋରଦାର ପାଲଟା ଆକ୍ରମଣ କରୁଛି। ହମାସର ବିଭିନ୍ନ ଠିକଣା ଉପରେ ଖୋଜି ଖୋଜି ଏୟାରଷ୍ଟ୍ରାଇକ୍ କରୁଛି। ଏହାସହ ୩୦୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।

Leave A Reply

Your email address will not be published.