ଜଟଣୀରୁ ଲଢ଼ିବେ ମନ୍ମଥ
କଂଗ୍ରେସରୁ ଲଢ଼ିବେନି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ।

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ଗୋଟି ଚାଳନା ଆରମ୍ଭ କଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। କଂଗ୍ରେସରୁ ଲଢ଼ିବେନି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ଲଢ଼ିବେନି ବୋଲି ସେ କହିଛନ୍ତି।
ଗୋଟେ ପଟେ କଂଗ୍ରେସ ନ ଲଢ଼ିବା ନେଇ ସ୍ପଷ୍ଟ କରିଥିବାବେଳେ ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ଜଟଣୀରୁ ଲଢ଼ିବା ପାଇଁ ବାପା ମୋତେ କହିଥିଲେ ବୋଲି ମନ୍ମଥ ରାଉତରାୟ କହିଛନ୍ତି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ତାଙ୍କର ଏଭଳି ବୟାନ ରାଜନୈତିକ ଚର୍ଚ୍ଚା ବଢ଼ାଇ ଦେଇଛି।
ସୂଚନା ଅନୁସାରେ, ପୂର୍ବରୁ କଂଗ୍ରେସରୁ ମନ୍ମଥ ରାଉତରାୟଙ୍କୁ ନିଲମ୍ୱିତ କରାଯାଇଥିଲା। ଯାହା ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲା। ଯାହାକୁ ନେଇ ମନ୍ମଥ ରାଉତରାୟ କହିଥିଲେ, ବାପା ମନା କଲେ ମୁଁ ନିର୍ବାଚନ ଲଢିବି ନାହିଁ। ବାପାଙ୍କ ଲାଗି ମୁଁ ସବୁ ତ୍ୟାଗ କରି ଦେବି। ମୋ ବ୍ୟାକଗ୍ରାଉଣ୍ଡ ନଜାଣି ମୋତେ ପିସିସି ସଦସ୍ୟ କରିଥିଲେ।
ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ, ଏକଥା ଭେରିଫାଏ କରିବା କଥା। ପ୍ରଥମ ତ ମୋତେ ସଦସ୍ୟ କରିବା ଭୁଲ୍ ଥିଲା। ଭୁଲ୍ରେ ସଦସ୍ୟ କଲେ, ଏବେ ସସ୍ପେଣ୍ଡ କରି ଭୁଲ୍ କଲେ। ମୋତେ ଆଉ ରେକ୍ଟିଫାଏ କରିବା ଦରକାର ନାହିଁ। ବାପାଙ୍କ ସହ ବସି ଏ ବିଷୟରେ ଆଉ କଥା ହେବା ଦରକାର ନାହିଁ। ନିଲମ୍ବନ କରି ସେମାନେ ମୋ ବାଟ କ୍ଲିଅର କରିଛନ୍ତି ବୋଲି ମନ୍ମଥ ରାଉତରାୟ କହିଥିଲେ।
କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି? ମୁଁ ଚାକିରିରେ ଥିଲି, ତେଣୁ କଂଗ୍ରେସର ସଦସ୍ୟ ଆଦୌ ନଥିଲି। ଯଦି ବି କେହି ମୋ ନାଁ ପିସିସି ସଦସ୍ୟ ତାଲିକାରେ ଯୋଡିଥାନ୍ତି ତେବେ କମିଟି କିଭଳି ଏହାକୁ ଗ୍ରହଣ କଲା। କାରଣ ମୁଁ କଂଗ୍ରେସରେ ସାମିଲ ହେବା ନେଇ କୌଣସି ଅନୁମତି ଦେଇନାହିଁ।
ପ୍ରଥମତଃ ମୁଁ କଂଗ୍ରେସ ଦଳରେ ନାହିଁ ତେଣୁ ମୋତେ କାରଣ ଦର୍ଶାଅ ନୋଟିସ ଜାରି କରି ଦଳର ଶୃଙ୍ଖଳା କମିଟି ଭୁଲ କରିଥିଲା। ଦ୍ୱିତୀୟତଃ ଦଳରେ ନଥାଇ ସୁଦ୍ଧା ମୋତେ ନିଲମ୍ବନ କରାଯାଉଛି ଏହା ଶୃଙ୍ଖଳା କମିଟିର ଦ୍ୱିତୀୟ ଭୁଲ। ନିଲମ୍ବନ କରି ଏହି ଭୁଲ କରନ୍ତୁ ବୋଲି ମୁଁ ଚାହୁଁଥିଲି। ଏଭଳି ନିଲମ୍ବନ ଦର୍ଶାଉଛି ଯେ, ଶୃଙ୍ଖଳା କମିଟି କୌଣସି ଯାଞ୍ଚ କରୁନାହିଁ।
ଏହାସହ ମନ୍ମଥ କହିଥିଲେ, ମୁଁ ଚାକିରି କରିଥିଲି ବୋଲି ସମସ୍ତେ ଜାଣିଥିଲେ ତାପରେ ବି କେମିତି ମୋତେ ଦଳରେ ସାମିଲ କଲେ ତାହା ସବୁଠୁ ବଡ ପ୍ରଶ୍ନ। ଭୁଲ ଉପରେ ଭୁଲ ନିଷ୍ପତ୍ତି କାହିଁକି ନିଆଯାଉଛି। ଏଭଳି ନିଲମ୍ବନ ମୋତେ କୌଣସି ଫରକ ପକାଇବନି। କଂଗ୍ରେସ ଦଳରେ କେହି ରିସର୍ଚ୍ଚ ନ କରି ମନଇଚ୍ଛା କାମ କରୁଛନ୍ତି।
କଂଗ୍ରେସ ଦଳର ସଦସ୍ୟ କେବେ ବି ମୁଁ ନଥିଲି। ଦଳରେ ସାମିଲ ହେବାକୁ କେବେ ବି ଆପ୍ଲାଏ କରିନି। କଂଗ୍ରେସ ଏତେ ଖାମଖିଆଲି ନିଷ୍ପତ୍ତି ନେଇଛି ତାହାକୁ ଦେଖି ହସ ଲାଗୁଛି। ମୁଁ ରାଜନୀତି କରିବି କି ନାହିଁ ତାହା ପଛ କଥା କିନ୍ତୁ ନିଜ କଥାରେ ସବୁବେଳେ ଅଟଳ ରୁହନ୍ତୁ। ଏହାଛଡା ବାପାଙ୍କ ମନଦୁଃଖ କଲା ଭଳି କୌଣସି କାମ କରିବିନି ବୋଲି ସେ କହିଥିଲେ।
ପୂର୍ବରୁ କଂଗ୍ରେସର ତୁଣ୍ଡ ସୁର ରାଉତରାୟ ରାଜନୈତିକ ଉତ୍ତରାଧିକାରୀକୁ ନେଇ ବଡ଼ ବୟାନ ଦେଇଥିଲେ। ସାନ ପୁଅ ନିର୍ବାଚନ ଲଢ଼ିବ ବୋଲି କହୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ। ହେଲେ ଏବେ ସାନ ପୁଅ ମନ୍ମଥ ରାଉତରାୟଙ୍କ ରାଜନୈତିକ ବୟାନ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। ତେବେ ଆଗାମୀ ନିର୍ବାଚନରେ ସେ କେଉଁ ଦଳରୁ ଲଢ଼ିବେ ତାହା ଦେଖିବାକୁ ବାକି ରହିଲା।