Odisha Link
Bridging the Missing Links in Odisha

ଓଡ଼ିଆ ପୁଅ ରଶ୍ମିରଞ୍ଜନ ଜମ୍ମୁକଶ୍ମୀରର ନୂଆ ପୁଲିସ ମୁଖ୍ୟ

ଓଏଲ୍‌ ବ୍ୟୁରୋ: ଭାରତ ସରକାର ପୁଣିଥରେ ଓଡ଼ିଆ ପୁଅଙ୍କୁ ଦେଲେ ଗୁରୁ ଦାୟିତ୍ବ। ୧୯୯୧ କ୍ୟାଡରର ଆଇପିଏସ୍‌ ଅଧିକାରୀ ତଥା ଓଡ଼ିଆ ପୁଅ ରଶ୍ମିରଞ୍ଜନ ସ୍ବାଇଁଙ୍କୁ ଜମ୍ମୁ କଶ୍ମୀରର ନୂତନ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନ ଜମ୍ମୁ-କଶ୍ମୀର ସିଆଇଡିର ସ୍ୱତନ୍ତ୍ର ଡିଜି ଭାବେ କାମ କରୁଥିବା ଶ୍ରୀ ସ୍ୱାଇଁ ନଭେମ୍ବର ୧ରୁ ନୂଆ ଦାୟିତ୍ୱ ଗ୍ରହଣ କରିବେ।

ଜମ୍ମୁ କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଦିଲବାଗ ସିଂହ ଅକ୍ଟୋବର ୩୧ ତାରିଖରେ ଅବସର ନେବେ। ତାଙ୍କ ସ୍ଥାନରେ ଶ୍ରୀ ସ୍ବାଇଁ ଜମ୍ମ କଶ୍ମୀରର ନୂତନ ଡିଜି ଭାବେ ନଭେମ୍ବର ୧ ତାରିଖରୁ କାର୍ଯ୍ୟ ଆରମ୍ଭ କରିବେ।

ଓଡ଼ିଶାର ରାଉରକେଲାରେ ଜନ୍ମିତ ଶ୍ରୀ ସ୍ୱାଇଁ ଜମ୍ମୁ-କଶ୍ମୀର ସହ ବେଶ ଜଡ଼ିତ। ସେ ଉଭୟ ଶ୍ରୀନଗର ଓ ଜମ୍ମୁରେ ଏସଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। କେନ୍ଦ୍ରୀୟ ଡେପୁଟେସନରେ ୧୫ ବର୍ଷ କାଳ କାମ କରିଥିବା ଶ୍ରୀ ସ୍ୱାଇଁ ବିଦେଶରେ ମଧ୍ୟ ପୋଷ୍ଟିଂ ପାଇଥିଲେ। ବିଦେଶରେ ସାଧାରଣତଃ ସବୁଠାରୁ ଦକ୍ଷ ଅଫିସରଙ୍କୁ ହିଁ ଭାରତ ସରକାର ନିଯୁକ୍ତି ଦିଅନ୍ତି।

ସର୍ବୋତ୍ତମ କ୍ୟାଡେଟ୍ ପୁଲିସ୍ ଅଧିକାରୀ ସମ୍ମାନର ଅଧିକାରୀ ମଧ୍ୟ ଶ୍ରୀ ସ୍ବାଇଁ। ସେ ୨୦୦୧ରୁ ୨୦୦୩ ପର୍ଯ୍ୟନ୍ତ ଏସଏସପି ଶ୍ରୀନଗର ଏବଂ ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ଏସଏସପି ଜମ୍ମୁ ଭାବରେ କାର୍ଯ୍ୟ କରିଥିଲେ। ସେ ଲେହ, ପୁଞ୍ଚ ଏବଂ ରାମବନରେ ମଧ୍ୟ ଏସଏସପି ଭାବେ କାର୍ଯ୍ୟ କରିଥିଲେ । ଜୁନ୍ ୨୦୨୦ରେ ତାଙ୍କୁ ସିଆଇଇଡି ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ପେଶାଲ୍ ଡାଇରେକ୍ଟର ଜେନେରାଲ୍ ସିଆଇଡି ଭାବରେ ପଦୋନ୍ନତି ଦିଆଯାଇଥିଲା। ବିଶେଷ କରି ଜମ୍ମୁକଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବା ହେଉ କିମ୍ବା ଆତଙ୍କବାଦୀଙ୍କ ବାବଦରେ କଡା କାର୍ଯ୍ୟାନୁଷ୍ଠାନ ନେବାରେ ରଶ୍ମିରଞ୍ଜନଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି।

Leave A Reply

Your email address will not be published.