ରାଜସ୍ଥାନରେ ବସୁନ୍ଧରାଙ୍କ ‘ରାଜ’ ଶେଷ; ଭଜନଲାଲ ଶର୍ମା ନୂଆ ମୁଖ୍ୟମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଅନେକ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜସ୍ଥାନରେ ରାଜ କରିବାକୁ ଯାଉଛନ୍ତି ଭଜନଲାଲ ଶର୍ମା। ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ଚର୍ଚ୍ଚା ହେଉଥିବାବେଳେ ଆଜି ରାଜସ୍ଥାନ ବିଧାୟକ ଦଳ ବୈଠକ ବସିଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ କିଏ ହେବେ ସ୍ପଷ୍ଟ ହୋଇଯାଇଛି। ବିଜେପି ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ କରାଇଛି। ତେଣୁ ରାଜସ୍ଥାନରେ ମଧ୍ୟ ସମାନ ନୀତି ଆପଣାଇବ ବୋଲି କୁହାଯାଉଥିବାବେଳେ ରାଜସ୍ଥାନରେ ବସୁନ୍ଧରାଙ୍କ ‘ରାଜ’ ଶେଷ ହୋଇଛି। ଭଜନଲାଲ ଶର୍ମା ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି।
ସୂଚନା ଅନୁସାରେ, ବିଜେପି ୨୦୧୯ ସାଧାରଣ ନିର୍ବାଚନ ପରି ୨୦୨୪ରେ ମଧ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ୧୦ ବର୍ଷ ହେବ କେନ୍ଦ୍ରରେ କ୍ଷମତାରେ ରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି। ଏପରି ସ୍ଥିତିରେ ଜାତିଗତ ସମୀକରଣ, ନେତା-ନେତା ମଧ୍ୟରେ ଥିବା ବିବାଦକୁ ଲକ୍ଷ୍ୟ ରଖି ଶୀର୍ଷ ନେତୃତ୍ୱ ଏପରି ଏକ ନେତା ବାଛିବାକୁ ଚାହୁଁଛି, ଯିଏ ସମସ୍ତଙ୍କୁ ଏକା ସାଙ୍ଗରେ ନେଇ ଚାଲିପାରିବ। ଏସବୁ ମଧ୍ୟରେ ଦଳ ଭଜନଲାଲ ଶର୍ମାଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଛି।