ଥରୁଛି ଓଡ଼ିଶା; ଆହୁରି କମିବ ତାପମାତ୍ରା!

ଓଏଲ୍ ବ୍ୟୁରୋ: ବଢୁଛି ଶୀତର ପ୍ରକୋପ। କନ୍ଧମାଳ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୦ ଡିଗ୍ରୀ ତଳକୁ ପାରଦ ଖସିଆସିଛି। ଗତକାଲି ଜି.ଉଦୟଗିରିରେ ତାପମାତ୍ରା ୯.୫ ଡିଗ୍ରୀ ସେଲସିଅସ, ଦାରିଂବାଡ଼ିରେ ୧୦. ୫ ଡିଗ୍ରୀ ଓ ଫୁଲବାଣୀରେ ୧୧ ଡିଗ୍ରୀ ଥିଲା। ସକାଳ ୯ ଟା ପ୍ରବଳ ଶୀତ ସହିତ କୁହୁଡ଼ି ଲାଗି ରହିଛି। କୋରାପୁଟରେ ମଧ୍ୟ ତାପମାତ୍ରା ୧୦-୧୨ ଡିଗ୍ରୀ ରହୁଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗକୁ ଆହୁରି କମିବ। ୧୪ ତାରିଖ ବେଳକୁ ଫୁଲବାଣୀ, କୋରାପୁଟ ପରି ସହରରେ ରାତିର ତାପମାତ୍ରା ୯ ଡିଗ୍ରି ଏବଂ ରାଜ୍ୟର ଅର୍ଧାଧିକ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଗତକାଲି ରାତିରେ କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୩ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ୧୧.୫, ଦାରିଙ୍ଗବାଡ଼ିରେ ୧୨.୫, ରାଉରକେଲାରେ ୧୩.୩, ଝାରସୁଗୁଡ଼ାରେ ୧୩.୨, ବାରିପଦାରେ ୧୪.୨, ଫୁଲବାଣୀରେ ୧୪ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶା ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତିର ତାପମାତ୍ରା ୨ରୁ ୪ ଡିଗ୍ରି କମିବା ସହ ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଅସହ୍ୟ ଜାଡ ଯୋଗୁଁ ସାରା ରାଜ୍ୟରେ ଜନଜୀବନ ପ୍ରଭାବିତ ହୋଇଛି।