ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ୨ ବିଶିଷ୍ଟ ଲେଖକ; ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ କବି ଆଶୁତୋଷ ପରିଡ଼ା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। କବିତାରେ ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧତା, ସଵୁ ପ୍ରକାରର ଶୋଷଣ ବିରୁଦ୍ଧରେ ବିଦ୍ରୋହର ସ୍ବର ଓ ଭାଷା ଏବଂ ସାମ୍ୟବାଦୀ ସ୍ବପ୍ନାଦେଶ ଓଡିଆ କାବ୍ୟ ଜଗତରେ ତାଙ୍କୁ ଅନନ୍ୟ ପରିଚୟ ଦେଇଛି। କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ପାଇବେ ପୁରସ୍କାର। ଏହା ସହ ସଂସ୍କୃତ ପୁସ୍ତକ ‘ଶୂନ୍ୟେ ମେଘଦୂତମ୍’ ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ଡ. ଅରୁଣ ରଞ୍ଜନ ମିଶ୍ର। ଏ ନେଇ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି।
ଏହି ଅବସରରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଥିବା ୨ ଲେଖକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ। ଏହା ସମସ୍ତଙ୍କ ପାଇଁ ଗୌରବର ବିଷୟ। ସାହିତ୍ୟ ଜଗତକୁ ସମୃଦ୍ଧ କରିବା ଦିଗରେ ଉଭୟଙ୍କର ଆହୁରି ସଫଳତା କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।