Odisha Link
Bridging the Missing Links in Odisha

ବଢୁଛି ଶୀତର ପ୍ରକୋପ: ସମ୍ବଲପୁରରେ ସର୍ବାଧିକ ବର୍ଷା ରେକର୍ଡ

ଓଏଲ୍‌ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସହ ଅତାବିରାରେ ୨୪.୨, ନୟାଗଡ଼ରେ ୨୧.୬, ବିଜେପିରୁ ୧୮। ଡୁଙ୍ଗୁରିପାଲିରେ ୧୭.୧ମିମି, ଉଲୁଣ୍ଡାରେ ୧୬.୨ ମିମି ବର୍ଷ ରେକର୍ଡ କରାଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ଅନୁଭୂତ ହୋଇଛି। ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଥିଲା ଝିପିଝିପି ବର୍ଷା। ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷା ଛାଡିବା ପରେ ରାଜ୍ୟରେ ଶୀତ ଲହରୀ ଫେରିପାରେ ବୋଲି ଆକଳନ କରାଯାଉଛି। ଦୁଇଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ବର୍ଷା ଲାଗିରହିଛି।

ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ। ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି। ଉପଗ୍ରହରୁ ମିଳିଥିବା ପାଣିପାଗ ସମ୍ଭନ୍ଧୀୟ ସଦ୍ୟତମ ଚିତ୍ରରୁ ଏହା ସ୍ପଷ୍ଟ ହେଉଛି ଯେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଏବଂ ଜଗତସିଂପୁର ଜିଲ୍ଲାର କିଛି ଅଞ୍ଚଳରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗିରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।