ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ; ଯୋଗ ଦେବେ ମହାମହିମ

ଓଏଲ୍ ବ୍ୟୁରୋ: ମହାମହିମଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ଦିନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ କମିସନରେଟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪ ଦିନିଆ ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ସୂଚନା ଅନୁସାରେ, ଗତକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅପରାହ୍ଣ ସାଢ଼େ ୫ଟାରେ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ୨୦୨୨-୨୩ ଶିକ୍ଷାବର୍ଷ ଲାଗି ପାଖାପାଖି ୧୫୦ଜଣଙ୍କୁ ପିଏଚ୍ଡି ଡିଗ୍ରି ଓ ୯୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ୪ଟି ବିଭାଗକୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ ଏବେ ୩୦ରୁ ଊର୍ଦ୍ଧ୍ୱ ବିଭାଗରେ ୪୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ୯ଟି ଉତ୍କର୍ଷ କେନ୍ଦ୍ର, ସହବନ୍ଧିତ ଆଇନ ମହାବିଦ୍ୟାଳୟ ଓ ଗୋଟିଏ ଦୂର ନିରନ୍ତର ନିର୍ଦ୍ଦେଶାଳୟ ରହିଛି। ସମାବର୍ତ୍ତନ ଉତ୍ସବ ଅବସରରେ ଦେଶରେ ପ୍ରତିଷ୍ଠା ଲାଭ କରିଥିବା ୩ଜଣ ଓଡ଼ିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଥିଲା।