Odisha Link
Bridging the Missing Links in Odisha

ଆଜି ଲୋକାର୍ପିତ ହେବ ବରମୁଣ୍ଡା ବସ୍ ଟର୍ମିନାଲ; ଅପରାହ୍ନରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଚମକିଲାଣି ବରମୁଣ୍ଡା ବସ୍ ଟର୍ମିନାଲ। ବାହାରକୁ ଆକର୍ଷଣୀୟ ଦେଖାଯାଉଥିବା ଏହି ବସ୍ ଟର୍ମିନାଲ ଭିତରର ଦୃଶ୍ୟ ବି ଆଖି ଲାଖିଗଲା ଭଳି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନବନିର୍ମିତ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସଷ୍ଟାଣ୍ଡର ଉଦଘାଟନ ହେବ।

ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ। ଯାତ୍ରୀଙ୍କ ରହଣୀ ପାଇଁ ବିଶ୍ରାମ ସ୍ଥାନଠାରୁ ଆରମ୍ଭ କରି ଲିଫ୍ଟ, ଏସ୍କେଲେଟର, ଟିକେଟ କାଉଂଟର, ଏଟିଏମ୍, କୋରିୟର ସେବା, ପୁଲିସ ଆଉଟପୋଷ୍ଟ, ଫୁଡ଼ କୋର୍ଟ, ଲଗେଜ ସ୍କାନର, କରିଡ଼ର, ଶୌଚାଳୟ ସମେତ ଭିନ୍ନକ୍ଷମଙ୍କ ପାଇିଁ ସ୍ୱତନ୍ତ୍ର ସୁବିଧା କରାଯାଇଛି।

ସ୍ଥାନୀୟ ଲୋକ, ଦୋକାନୀ ତଥା ଏଠି କାମ କରୁଥିବା କର୍ମଚାରୀ ମାନଙ୍କ ମୁହଁରେ ଗୋଟିଏ କଥା ବରମୁଣ୍ଡା ବସଷ୍ଟାଣ୍ଡ ପୁରା ଏୟାରପୋର୍ଟ ଭଳି ଲାଗୁଛି। ଆଜି ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୁଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୁଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ।

୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୁଲିସ୍‌ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା। ଏ ବିଷୟରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୁଲିସ୍‌ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ୧୪୪ଟି ବସ୍‌ ବେ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ। ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି। ଏହି ଆଉଟପୋଷ୍ଟରେ ୮୯ଜଣ ପୁଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ଏଥି ମଧ୍ୟରୁ ୨ଜଣ ସବ୍‌-ଇନ୍‌ସ୍ପେକ୍ଟର, ୯ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର, ୪ଜଣ ହାବିଲଦାର, ୭୨ଜଣ କନଷ୍ଟେବଳ ଓ ୨ଜଣ ଡ୍ରାଇଭର ରହିବେ।

Leave A Reply

Your email address will not be published.