ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ; ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଓଏଲ୍ ବ୍ୟୁରୋ: ଆସନ୍ତାକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ପ୍ରଭାବୀ ଢଙ୍ଗରେ ପାଳନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ କର୍ମକର୍ତ୍ତା, ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ କରାଯିବ।
ଅପରାହ୍ନରେ ସାଧାରଣ ସଭା ଆୟୋଜନ କରାଯିବ। ନିଃସ୍ୱାର୍ଥପର ଲୋକସେବାର ପ୍ରତୀକ, ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନୀତିଜ୍ଞ ତଥା ସ୍ୱାଧୀନତା ସଂଗ୍ରାମୀ ବିଜୁବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ଅମୂଲ୍ୟ ଅବଦାନ, ସଶକ୍ତ ଏବଂ ପୂର୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ। ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିବେ। ସେହିପରି ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ତରଫରୁ ସାଇକେଲ ଶୋଭାଯାତ୍ରା ଓ ଗଣଦୌଡ଼ ଆୟୋଜନ କରାଯାଉଛି।