Odisha Link
Bridging the Missing Links in Odisha

ଗଡ଼ିଲା ଅଣଲେଉଟା ରଥ; ଲିଙ୍ଗରାଜ ମନ୍ଦିର ନିକଟରେ ଜନସମାଗମ

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଆଶୋକାଷ୍ଟମୀ। ପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ଯାତ୍ରା ଦେଖିବାକୁ ଜନସମାଗମ ସୃଷ୍ଟି ହୋଇଛି। ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଆଜି ଏହି ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେଉଛି। ଭିଡ଼କୁ ନଜରରେ ରଖି ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଗଡ଼ିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗଡ଼ିଲା ରଥ।

ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା। ତେବେ ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ ଗୁଣ୍ଡିଚା ମନ୍ଦିରଠାରେ ଦକ୍ଷିଣ ମୋଡ଼ ନେଇ ପଛକୁ ବୁଲିଥା’ନ୍ତି। କିନ୍ତୁ ରୁକୁଣା ରଥ ପଛକୁ ଘୂରିବା ବିଧି ନାହିଁ। ରାମେଶ୍ୱର ମନ୍ଦିର ନିକଟରେ ଏହି ରଥର ପଛପଟ ଦ୍ୱାରକୁ ଖୋଲିଦିଆଯାଏ ଏବଂ ରଥ ଉପରେ ସିଂହାସନକୁ ଘୂରାଇ ଦିଆଯାଏ। ତେଣୁ ରଥର ପଛଦ୍ବାର ଏମିତିରେ ସମ୍ମୁଖ ଦ୍ବାର ହୋଇଯାଏ।

ବାହୁଡ଼ା ଦିନ ଏଠାରେ ଚାରି ଅଶ୍ବଙ୍କୁ ଯୋଚାଯିବା ପ‌ରେ ରଥ ଗଡ଼େ। ଏହି ରଥର ନିର୍ମାଣ ଶୈଳୀ ସେମିତି କରାଯାଇଥାଏ। ସେଥିପାଇଁ ଏହାକୁ ଅଣଲେଉଟା ରଥ ବୋଲି କୁହାଯାଏ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରୁକୁଣା ରଥରେ ସାରଥୀ ଭାବେ ‘ବ୍ରହ୍ମା’ ବିରାଜମାନ କରିଥା’ନ୍ତି। ଏହି ରଥର ଉଚ୍ଚତା ୩୫ ଫୁଟ୍‌ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।

ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା। ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ।

ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି।

Leave A Reply

Your email address will not be published.